କେନ୍ଦ୍ର କ୍ୟାବିନେଟରେ ଅଦଳ ବଦଳ ଚର୍ଚ୍ଚା, ଜୁଲାଇ ୩ରେ ମନ୍ତ୍ରୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ ମୋଦି
30/06/2023 at 8:28 AM

ନୂଆଦିଲ୍ଲୀ ୩୦/୦୬: କେନ୍ଦ୍ର କ୍ୟାବିନେଟର ଅଦଳ ବଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆସନ୍ତା ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ପରିଷଦ ବୈଠକ ଡକାଇଛନ୍ତି। ପ୍ରଗତି ମୈଦାନରେ ନୂଆ କରି ତିଆରି ହୋଇଥିବା କନଭେନସନ ସେଣ୍ଟରରେ ଏହି ବୈଠକ ବସିବ। ବୁଧବାର ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେ ପି ନଡ୍ଡାଙ୍କ ସହିତ ଆଲୋଚନା କରିଥିଲେ।
ବୈଠକରେ ନଡ୍ଡାଙ୍କ ଉପସ୍ଥିତି ଯୋଗୁଁ ମନ୍ତ୍ରିମଣ୍ଡଳ ଅଦଳ ବଦଳ ନେଇ ଜୋର ଧରିଛି ଆଲୋଚନା । ୨୦୨୪ରେ ସାଧାରଣ ନିର୍ବାଚନ ପୂର୍ବରୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବାର ଅଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳରେ କିଛି ନୂଆ ନେତାଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି। ଗତ କିଛି ଦିନ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା, ସଭାପତି ଜେପି ନଡ୍ଡା ଓ ବିଜେପି ସଂଗଠନ ସଂପାଦକ ବି ଏଲ ସନ୍ତୋଷଙ୍କ ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଛି।
୨ ବର୍ଷ ମଧ୍ୟରେ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳ ବଦଳ ହୋଇନଥିବାରୁ ଏହା ଉପରେ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ସେହିପରି ବିଜେପି ତାର ସଂଗଠନକୁ କିଛି ରାଜ୍ୟରେ ଆହୁରି ମଜଭୁତ କରିବା ଉଦ୍ଦେଶ୍ୟରେ ସେଠାକାର ନେତାଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି।
you can also read..