ଧରାତଳରେ କାର୍ଯ୍ୟ କରନ୍ତୁ କେନ୍ଦ୍ର ସରକାର, ଜୁମଲାବାଜୀରେ ଚାଲେନି ଦେଶ: ପ୍ରିୟଙ୍କା ଭଦ୍ରା
7/07/2022 at 7:45 PM

ନୂଆଦିଲ୍ଲୀ ୭।୭: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରା ଗୁରୁବାର ଦେଶର ବେରୋଜଗାରୀକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ରର ମୋଦି ସରକାର ମାଟିକୁ ଓହ୍ଲେଇ କାମ କରିବା ବଦଳେ ବିଜ୍ଞାପନ ଓ ଜୁମଲାବାଜୀ କରୁଥିବା କହିଛନ୍ତି। ଏଥିରେ ଦେଶ ଚଳେନି କି ଜନତାଙ୍କର ଭଲ ହୁଏନି ବୋଲି ପ୍ରିୟଙ୍କା କହିଛନ୍ତି। ପ୍ରାୟ ଦିନ ଲୋକେ ଚାକିରୀ ହରାଉଛନ୍ତି ଯୁବକଙ୍କ ଆଗରେ ଦିନକୁ ଦୁଇବେଳା ଖାଦ୍ୟ ସଂଗ୍ରହ ଏବେ ଚାଲେଞ୍ଜ ପାଲଟିଛି ବୋଲି ସେ କହିଛନ୍ତି।
ପ୍ରତିମାସରେ ବହୁ ସଂଖ୍ୟାରେ ଲୋକେ ନିଯୁକ୍ତି ହରାଉଛନ୍ତି ସେହି ଅନୁସାରେ ସରକାର ସେଭଳି କୌଣସି ମଜଭୁତ ପଦକ୍ଷେପ ନେଇ ପାରୁ ନାହାନ୍ତି। ଏ ନେଇ ପ୍ରିୟଙ୍କା ଏକ ଟ୍ୱିଟ୍ କରିଥିବା ବଳେ କେବଳ ଜୁନମାସରେ ୧.୩ କୋଟି ଲୋକେ ନିଯୁକ୍ତି ହରାଇଥିବାର ଅଭିଯୋଗ କରିଛନ୍ତି। ଦେଶରେ ରୋଜଗାର ଏବେ ୧୨ ମାସର ସର୍ବନିମ୍ନ ସ୍ତରକୁ ପହଞ୍ଚି ଯାଇଛି। ୨୦୨୨ରେ କେବଳ ଷ୍ଟାର୍ଟଅପରୁ ୧୨ ହଜାର ଲୋକେ ଛଟେଇ ହୋଇଥିବା ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସରକାରଙ୍କ ୩୦ ଲକ୍ଷ ପଦବୀ ରିକ୍ତ ପଡିଛି। ବିଜ୍ଞାପନ ବୀର ବିଜେପି ସରକାରଙ୍କର ଦେଶର ଯୁବକଙ୍କ ଲାଗି ନୂଆନୂଆ ଜୁମଲା ତ ଅଛି ହେଲେ ଚାକିରୀ ନାହିଁ ବୋଲି ପ୍ରିୟଙ୍କା ଉଲ୍ଲେଖ କରିଛନ୍ତି।
ଏଥିରେ ସେ ଏକ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି। ସରକାର ପ୍ରତିବର୍ଷ ୨ କୋଟି ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଏହା ଜୁମଲା ସାବ୍ୟସ୍ତ ହୋଇଛି। ଏବେ ପରିସ୍ଥିତି ଏପରି ଯେ ଷ୍ଟାର୍ଟଅପ ମାଧ୍ୟମରେ ନିଯୁକ୍ତି ପାଇଥିବା ୧୨ ହଜାର ଲୋକେ ବି ବେକାର ହୋଇଗଲେଣି ବୋଲି ଉଲ୍ଲେଖ କରିଛନ୍ତି।