ସୋଆରେ ସେଣ୍ଟର ଫର୍ ଏନ୍‌ଟରପ୍ରେନ୍ୟୁୟରସିପ୍ ଆଣ୍ଡ ଇନୋଭେସନ୍ ମ୍ୟାନେଜମେଣ୍ଟ ଉଦ୍‌ଘାଟିତ

Published By : Prameya-News7 Bureau | May 11, 2024 IST

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ  ସାଇନ୍ସେସ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡ୍ରୀ (ଆଇଭିଏସ୍‌ଏଏଚ୍‌) ରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାବଲମ୍ବୀ କରାଇବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା 'ସେଂଟର ଫର୍ ଏନ୍‌ଟରପ୍ରେନ୍ୟୁୟରସିପ୍ ଆଣ୍ଡ ଇନୋଭେସନ୍ ମ୍ୟାନେଜମେଂଟ' ଶୁକ୍ରବାର ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସଙ୍କ ଦ୍ଵାରା ଉଦ୍ଘାଟିତ ହୋଇଛି। 

ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ଶ୍ରୀମତି ଦାସ ଏହି ସେଂଟରକୁ ଉଦ୍ଘାଟନ କରି ଏହା ଦ୍ୱାରା ଏଗ୍ରିକଲ୍‌ଚର ଏବଂ ଭେଟେରିନାରୀ ସାଇନ୍ସେସ୍ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ନିଜେ ରୋଜଗାରକ୍ଷମ ହେବା ନିମନ୍ତେ ତାଲିମ ପାଇ ପାରିବେ ବୋଲି କହିଥିଲେ । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର କିଭଳି ପ୍ରଚାର ପ୍ରସାର ଓ ବିକ୍ରି ହୋଇ ପାରିବ ସେ ନେଇ ଏଠାରେ ସେମାନଙ୍କୁ ପ୍ରଶିକ୍ଷିତ କରାଯିବ ବୋଲି ଶ୍ରୀମତି ଦାସ କହିଛନ୍ତି ।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉପସ୍ଥିତ ରହି ଏହି ସେଂଟର ବିଷୟରେ ତଥ୍ୟ ପ୍ରଦାନ କରିବା ସହ ବଜାରରେ ସୋଆ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟ କିଭଳି ଉପଲବ୍ଧ ହେବ ଏବଂ ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ।

ଏହି ସେଂଟରର ମୁଖ୍ୟ ପ୍ରଫେସର ସମରେନ୍ଦ୍ର ମହାନ୍ତି ବିସ୍ତୃତ ସୂଚନା ଦେଇ ଆଇଏଏସ୍ ଏବଂ ଆଇଭିଏସ୍‌ଏଏଚ୍‌ର ଛାତ୍ରଛାତ୍ରୀମାନେ ନିଜ ନିଜ ଅନୁଷ୍ଠାନରେ ଉଭୟ ଥିଓରୀ ଓ ପ୍ରାକ୍ଟିକାଲ୍ ପାଠ୍ୟକ୍ରମର ଜ୍ଞାନ ଆହରଣ କରିବା ପରେ ନିଜକୁ କିଭଳି ସ୍ୱାବଲମ୍ବୀ ହୋଇ ଉଦ୍ୟୋଗୀ ହୋଇ ପାରିବେ, ଅଭିନବ ପ୍ରଚେଷ୍ଟା କରିପାରିବେ ଓ ବ୍ୟବସାୟ ପରିଚାଳନା କରିପାରିବେ ସେ ସମ୍ପର୍କିତ ପ୍ରଶିକ୍ଷଣ ଦିଆଯିବ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଆଇଭିଏସ୍‌ଏଏଚ୍‌ର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସଙ୍କ ସମେତ ଆଇଏଏସ୍ ଏବଂ ଆଇଭିଏସ୍‌ଏଏଚ୍‌ର ସମସ୍ତ ଫ୍ୟାକଲ୍ଟି ଓ ସୋଆ କର୍ମକର୍ତାଗଣ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.