ନୂଆଦିଲ୍ଲୀ ୧୧।୧୧: ପ୍ରାୟ ୧୩ ବର୍ଷ ପରେ ଆରମ୍ଭ ହେବାକୁ ଯାଉଛି ଜନଗଣନା। ଗତ କିଛିବର୍ଷ ହେଲା ଜନଗଣନା କାମକୁ ଅଟକାଇ ଦିଆଯାଇଥିଲା, କାରଣ ପ୍ରତ୍ୟେକ ୧୦ ବର୍ଷରେ ଦେଶରେ ଜନଗଣନା ହୋଇଥାଏ। ଭାରତରେ ଶେଷ ଥର ଏହି ପ୍ରକ୍ରିୟା ୨୦୧୧ ମସିହାରେ ହୋଇଥିଲା। ଯଦିଓ ୨୦୨୧ରେ ଜନଗଣନାର ପ୍ରସ୍ତାବ ଥିଲା ତେବେ କରୋନା ଭାଇରସ ମହାମାରୀ ଯୋଗୁ ଏହାକୁ ଟାଳି ଦିଆଯାଇଥିଲା।
ଜନଗଣନାର ତଥ୍ୟ ଉପରେ ଦେଶର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିର୍ଭର କରିଥାଏ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୬ ସୁଦ୍ଧା ଜନଗଣନା ଫଳାଫଳ ଘୋଷଣା ହୋଇଯିବ ବୋଲି କହିଥିଲେ। ସେହି ଅନୁସାରେ ୨୦୨୪ ଶେଷ ସୁଦ୍ଧା ଭାରତରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏହି କାର୍ଯ୍ୟ ପାଖାପାଖି ଦେଢ ବର୍ଷ ପର୍ଯ୍ୟନ୍ତ ଚାଲିବ ଓ ଏହି କାମ ନଭେମ୍ବର ଅଥବା ଡିସେମ୍ବର ୨୦୨୪ ସୁଧା ଆରମ୍ଭ ହେବ।
ଯେତେବେଳେ ଜନଗଣନା ଆରମ୍ଭ ହେବ ସେତେବେଳେ ସରକାରୀ ଅଥବା ଘରୋଇ ସଂସ୍ଥାର କର୍ମଚାରୀ ଆପଣଙ୍କ ଘରକୁ ଆସିବେ। ସେ ଆପଣଙ୍କ ପରିବାର ସମ୍ପର୍କିତ କିଛି ପ୍ରଶ୍ନ ପଚାରିବେ। ଯେପରିକି ଆପଣଙ୍କ ପରିବାରର ସଦସ୍ୟ ସଂଖ୍ୟା କେତେ, ପରିବାର ସଦସ୍ୟଙ୍କ ନାମ, ବୟସ, ଲିଙ୍ଗ ସମ୍ପର୍କିତ ସୂଚନା ସଂଗ୍ରହ କରାଯିବ। ଏଥିରେ ପରିବାରର ମାସିକ ଓ ବାର୍ଷିକ ଆୟ ସମ୍ପର୍କରେ ମଧ୍ୟ ଜନଗଣନା ଅଧିକାରୀ ପ୍ରଶ୍ନ କରିବେ। ସବୁ ପ୍ରଶ୍ନ ଆପଣଙ୍କୁ ଠିକ୍ ଠିକ୍ ଉତ୍ତର ଦେବାକୁ ପଡିବ।
ଏହି ପ୍ରକ୍ରିୟା ନିମନ୍ତେ ଆପଣଙ୍କୁ ସେପରି କୌଣସି ଖାସ୍ କଗଜପତ୍ର ଦେବାକୁ ବା ଦେଖାଇବାକୁ ପଡିବ ନାହିଁ। ତେବେ ଆପଣଙ୍କ ଭୋଟର କାର୍ଡ ବା ଆଧାର କାର୍ଡ ମାଗି ପାରନ୍ତି। ଏଣୁ ଏହି ଦୁଇ କାଗଜପତ୍ରକୁ ପ୍ରସ୍ତୁତ ରଖିଥିବେ। କିଛି ଲୋକ ଏହି ପ୍ରକ୍ରିୟା ଆରମ୍ଭ ହେବା ଯୋଗୁ ଏନଆରସି ଲାଗି ସନ୍ଦେହ କରୁଛନ୍ତି। ତେବେ କେନ୍ଦ୍ର ସରକାର ଏ ବାବଦେ ପୂର୍ବରୁ ସ୍ପଷ୍ଟ କରିଦେଇଛନ୍ତି। ଏହା ଏକ ନିୟମିତ ପ୍ରକ୍ରିୟା ଓ ଏହା ସହିତ ସିଏଏ ଅଥବା ଏନଆରସିର କୌଣସି ସମ୍ପର୍କ ନାହିଁ।