ନୂଆଦିଲ୍ଲୀ: ବଢ଼ିପାରେ ସିମେଣ୍ଟ ମୂଲ୍ୟ। କାରଣ ଦେଶର ଅନେକ ସିମେଣ୍ଟ କମ୍ପାନି ଦାମ୍ ବଢ଼ାଇବାକୁ ଯୋଜନା କରୁଛନ୍ତି। କୁହାଯାଉଛି ଚଳିତ ମାସରେ ସିମେଣ୍ଟ ବ୍ୟାଗ୍ ପିଛା ୧୦-୧୫ ଟଙ୍କା ବୃଦ୍ଧି ହୋଇପାରେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ବଜାର ମାନ୍ଦା ରହିଛି। କାରଣ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ଫଳରେ ଅନେକ ସରକାରୀ ପ୍ରକଳ୍ପ ବନ୍ଦ ରହିଛି। ଆଉ ଏହି କାରଣରୁ କ୍ଷତିରୁ ବର୍ତ୍ତିବା ପାଇଁ କମ୍ପାନିମାନେ ଏହି ନିଷ୍ପତ୍ତି ନେଇଛନ୍ତି।
ରିପୋର୍ଟ ଅନୁଯାୟୀ, ଉତ୍ତର ଭାରତୀୟ ରାଜ୍ୟମାନଙ୍କରେ ୫୦ କେଜି ସିମେଣ୍ଟ ବ୍ୟାଗ୍ ପିଛା ୧୦-୧୫ ଟଙ୍କା ବଢ଼ିପାରେ। ସେହିଭଳି ମଧ୍ୟ ଭାରତ ଏବଂ ପୂର୍ବ ଭାରତୀୟ ରାଜ୍ୟମାନଙ୍କରେ ୩୦-୪୦ ଟଙ୍କା ବୃଦ୍ଧି ହେବ। ପଶ୍ଚିମ ରାଜ୍ୟରେ ସିମେଣ୍ଟ ମୂଲ୍ୟ ପ୍ରତି ବ୍ୟାଗ୍ ପିଛା ୨୦ ଟଙ୍କା ବଢ଼ିବା ନେଇ ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ, ସିମେଣ୍ଟ ମୂଲ୍ୟରେ ଏହି ବୃଦ୍ଧି କମ୍ ଚାହିଦା କାରଣ ପ୍ରାୟ ୫ ମାସର ଲଗାତାର ହ୍ରାସ ପରେ ହୋଇଛି। ସେପଟେ ବିଶେଷଜ୍ଞ କହିବା ଅନୁଯାୟୀ, ଏହି ବୃଦ୍ଧି ସିମେଣ୍ଟ ଉତ୍ପାଦନକାରୀଙ୍କୁ କିଛିଟା ଆଶ୍ବସ୍ତି ଆଣିପାରେ। ଏହା ସହ ବିଶେଷଜ୍ଞ ଆହୁରି ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ନିର୍ବାଚନ କାରଣରୁ ଚାହିଦା ଆହୁରି କମିପାରେ। ଏଣୁ ସିମେଣ୍ଟ କମ୍ପାନିମାନେ କ୍ଷତିରୁ ରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି।