ଯେଉଁ କଲେଜକୁ ଯିବା ବାଟରେ ଜେନେରାଲ ରାୱତଙ୍କ ଯାଇଥିଲା ଜୀବନ, ସେଠାରେ ତାଙ୍କ ଅଧୁରା ଭାଷଣ ପୂରା କରିବେ ବର୍ତ୍ତମାନର ସିଡିଏସ

Published By : Prameya-News7 Bureau | December 05, 2022 IST

ନୂଆଦିଲ୍ଲୀ: ଦିବଙ୍ଗତ ସିଡିଏସ ବିପିନ ରାୱତଙ୍କ ସ୍ମୃତିରେ ଆଜି ତାଙ୍କ ଉତ୍ତରାଧିକାରୀ ଜେନେରାଲ ଅନିଲ ଚୌହାନ ୱେଲିଂଟନରେ ଡିଫେନ୍ସ ଷ୍ଟାଫ୍ କଲେଜ ଗସ୍ତ କରିବେ । ଏହି ଅବସରରେ ସେ ସେଠାରେ ଅଭିଭାଷଣ ଦେବେ। ଜେଲେରାଲ ଚୌହାନଙ୍କ ଏହି ଗସ୍ତ ସିଡିଏସ ବିପିନ ରାୱତଙ୍କ ନିଧନର ପ୍ରାୟ ଗୋଟିଏ ବର୍ଷ ପରେ ହେଉଛି ।

ଉଲ୍ଲେଖଯୋଗ୍ୟ ଯେ ୨୦୨୧ ଡିସେମ୍ୱର ୮ରେ ଜେନେରାଲ ରାୱତ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ୱେଲିଂଟନ ଗସ୍ତ କରୁଥିଲେ । ଏହି ସମୟରେ ହେଲେକଫ୍ଟର ଦୁର୍ଘଟଣାରେ ତାଙ୍କ ନିଧନ ହୋଇଥିଲା । ଏହି ବିମାନ ଦୁର୍ଘଟଣାରେ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସହ ଅନ୍ୟ ୧୨ ଜଣଙ୍କ ଜୀବନ ଯାଇଥିଲା ।

ପ୍ରତିରକ୍ଷା ବିଭାଗର ଅଧିକାରୀଙ୍କ ଅନୁସାରେ, ସିଡିଏସ ଜେନେରାଲ ଅନିଲ ଚୌହାନ ସୋମବାର ୱେଲିଂଟନ ସ୍ଥିତ ଜିଏସଏସସି ଗସ୍ତ କରିବେ । ବର୍ତ୍ତମାନର ସିଡିଏସ, ଜେନେରାଲ ରାୱତଙ୍କ ସହ ମିଲିଟାରୀ ଅପରେସନର ମହାନିର୍ଦ୍ଦେଶକ ଏବଂ ଇଷ୍ଟର୍ଣ୍ଣ ସେନା କମାଣ୍ଡର ଭାବେ କାମ କରିଥିଲେ । ଚଳିତ ବର୍ଷ ଅକ୍ଟୋବରରେ ତାଙ୍କୁ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ ନିଯୁକ୍ତ କରାଯାଇଥିଲା ।

ଅଧିକାରୀଙ୍କ ସୂଚନା ଅନୁସାରେ, ସିଡିଏସ ଅନିଲ ଚୌହାନ ସେହି ସମସ୍ତ ସୈନିକଙ୍କ ପରିବାର ସହ ୱେଲିଂଟନ ଗସ୍ତ କରିବେ, ଯେଉଁମାନେ ଡିସେମ୍ୱର ୮  ହେଲିକଫ୍ଟର ଦୁର୍ଘଟଣାରେ ସହିଦ ହୋଇଥିଲେ । ଭାରତୀୟ ନୌସେନା ଅନୁସାରେ, ଦିବଙ୍ଗତ ସିଡିଏସ ବିପିନ ରାୱତଙ୍କ ନାଁରେ ସର୍ବଶ୍ରେଷ୍ଠ ଅଗ୍ନିବୀର ଟ୍ରେନି ଟ୍ରଫି ଦିଆଯିବ । ସିଡିଏସ ଜେନେରାଲ ଅନିଲ ଚୌହାନ ଏହି ଘୋଷଣା କରିବେ । ଭାରତୀୟ ସେନା ଡିସେମ୍ୱର ୧୦ରେ ଦିଗଙ୍ଗତ ସିଡିଏସଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ ସଭା ଆୟୋଜନ କରିବ।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.