ବର୍ଷାକୁ କଲେ ନାହିଁ ଖାତିର, ୧୨ କିମି ଚାଲି ଅଙ୍ଗନଓ୍ୱାଡି କେନ୍ଦ୍ର ସହ ଲୋକଙ୍କ ସମସ୍ୟା ବୁଝିଲେ ସିଡିପିଓ

Published By : Prameya-News7 Bureau | August 25, 2022 IST

ମୋହନା ୨୫।୦୮:  ବର୍ଷା ସତ୍ତ୍ବେ ୧୨ କିମି ପାହାଡ ରାସ୍ତା ଚାଲି ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କଲେ ଓ ଲୋକଙ୍କ ସମସ୍ୟା ବୁଝିଲେ ସିଡିପିଓ। ଗଜପତି ଆର୍.ଉଦୟଗିରି ବ୍ଲକ ସିଡିପିଓ ଲଳିତା ପୂଜାରୀ ପାହାଡ଼ିଆ ରାସ୍ତାରେ ଦୀର୍ଘ ୧୨ କିଲୋମିଟର ଚାଲି ଦୁର୍ଗମ ପୁରୁଣାପାଣି ଓ ସିଆଳିଲଟି ପଞ୍ଚାୟତର ପାହାଡ ପର୍ବତ ଘେରା ଭିତରେ ଥିବା ବିଭିନ୍ନ ଗାଁ ପରିଦର୍ଶନ କରିଛନ୍ତି।

wp:html /wp:html

ଖବର ଅନୁଯାୟୀ, ସିଡ଼ିପିଓ ନିଜ ସରକାରୀ ଗାଡ଼ିରେ ଆର.ଉଦୟଗିରି ସ୍ଥିତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରୁ ବାହାରି ୪୦ କିମି ଦୂରରେ ଥିବା ପୁରୁଣାପାଣି ପଞ୍ଚାୟତରେ ପହଞ୍ଚିଥିଲେ। ସେଠାରୁ ପ୍ରାୟ ୮ କିମି ଘାଟି ପାହାଡ ଚଢ଼ି ରାମଗୁଡ଼ାରେ ପହଞ୍ଚିବା ପରେ ଦୁର୍ଗମ ରାସ୍ତା ଯୋଗୁଁ ଗାଡ଼ି ଆଉ ଆଗକୁ ଯାଇପାରିନଥିଲା। ସେଠାରେ ଗାଡ଼ି ରଖିଦେଇ ପ୍ରବଳ ବର୍ଷା ସତ୍ତ୍ବେ ଚାଲିଚାଲି ଯାଇଥିଲେ ସିଡିପିଓ ଲଳିତା ପୂଜାରୀ। ତାଙ୍କ ସହ ଶିଆଳିଲଟି ସେକ୍ଟର ସୁପରଭାଜର ପିଙ୍କିରଜନୀ ଭୂୟାଁ, ଅଙ୍ଗନୱାଡ଼ି କର୍ମୀ ସବିତା ବଡ଼ପରଜା ଓ କାର୍ଯ୍ୟାଳୟ କର୍ମଚାରୀ ବୁଲୁ ବଡଦଳେଇ ମଧ୍ୟ ଚାଲିଥିଲେ ୧୨ କିଲୋମିଟର। ସେମାନେ ପାହାଡ ଚଢ଼ି ଜଡ଼ାପାଣି , ରୁବାଲ ଗାଁରେ ପହଞ୍ଚି ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିବା ସହ ଲୋକଙ୍କ ସମସ୍ୟା ବୁଝିଥିଲେ।

ଏହାପରେ ଗୁଣ୍ଡ୍ରିସାହି , ଜାଡ଼ା ଗାଁରେ ପହଞ୍ଚିଥିଲେ ସିଡିପିଓ ଓ ତାଙ୍କ ଟିମ୍ । ଲୋକେ ସରକାରୀ ଯୋଜନାର ସୁଫଳ ଠିକ୍ ଭାବେ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ। ସେହି ଅଞ୍ଚଳର ଅଙ୍ଗନୱାଡ଼ି କେନ୍ଦ୍ରକୁ କର୍ମୀ ଆସୁଛନ୍ତି କି ନାହିଁ ଏବଂ ହିତାଧିକାରୀଙ୍କୁ ଅଙ୍ଗନୱାଡ଼ି ମାଧ୍ୟମରେ ଆସୁଥିବା ଅଣ୍ଡା, ଛତୁଆ ମିଳୁଛି କି ନାହିଁ ପଚାରି ବୁଝିଥିଲେ। ଏଥିସହ ଶିଶୁ, ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯିବା ନେଇ ମଧ୍ୟ ପଚାରିଥିଲେ। ରାସ୍ତା ସମସ୍ୟା ଓ ସ୍ଵାସ୍ଥ୍ୟ ସେବା ସମସ୍ୟା ଥିବା ନେଇ ଲୋକେ ସିଡିପିଓଙ୍କୁ ଜଣାଇଥିଲେ। ସେହି ଅଞ୍ଚଳଟି ଅତ୍ୟନ୍ତ ଦୁର୍ଗମ ହୋଇଥିବା ଯୋଗୁଁ କୌଣସି ସରକାରୀ ଅଧିକାରୀଙ୍କ ପାଦ ପଡୁନଥିଲା। ଦୀର୍ଘବର୍ଷ ପରେ ଜଣେ ସରକାରୀ ଅଧିକାରୀଙ୍କ ପାଦ ପଡ଼ିଥିବା ଯୋଗୁଁ ଲୋକେ ବେଶ୍ ଖୁସି ହୋଇଛନ୍ତି। ଏ ସଂପର୍କରେ ସିଡିପିଓ ଲଳିତା ପୂଜାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏହା ତାଙ୍କ ଦାୟିତ୍ଵ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.