ସିଡିପିଓଙ୍କ ଲାଞ୍ଚ ମାଗିବା ଅଡ଼ିଓ ଭାଇରାଲ୍; ରଫାଦଫା ପାଇଁ କ୍ୱାର୍ଟରକୁ ଡାକୁଛନ୍ତି ଅଧିକାରିଣୀ
1/06/2023 at 4:35 PM

ଭଦ୍ରକ ୦୧/୦୬: ଆଶାୟୀ ଅଙ୍ଗନୱାଡ଼ି ଶିକ୍ଷୟିତ୍ରୀଙ୍କୁ ଲାଞ୍ଚମାଗୁଛନ୍ତି ଶିଶୁବିକାଶ ପ୍ରକଳ୍ପ ଅଧିକାରୀ। ବର୍ତ୍ତମାନ ଏହାର ଅଡ଼ିଓ କ୍ଲିପ୍ ମୋବାଇଲ୍ରୁ ମୋବାଇଲ୍ ଘୁରି ବୁଲୁଛି। ଏନେଇ ଆଶାୟୀ ପ୍ରାର୍ଥୀନି ସୁଷମା ପ୍ରଧାନ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି। ଏପରି ଅପରାଧିକ ଘଟଣା ଭଦ୍ରକ ଜିଲ୍ଲାରୁ ସାମ୍ନାକୁ ଆସିଛି। ଟଙ୍କା ମାଗୁଥିବା ସିଡିପିଓ ହେଲେ ନମିତା ଦାସ। ସେ ଧାମନଗର ବ୍ଲକରେ କାର୍ଯ୍ୟରତ ଅଛନ୍ତି।

ତେବେ ଟଙ୍କା ମାଗି ମୂଲଚାଲ କରୁଥିବା ଅଡ଼ିଓ କ୍ଲିପ୍ଟି ନମିତାଙ୍କର ବୋଲି ଅଭିଯୋଗ ହେଉଛି। ଖବର ଅନୁସାରେ, ଧୂସୁରି ପଛାଲ ପ୍ରଧାନ ସାହିର ଅଙ୍ଗନୱାଡ଼ି କେନ୍ଦ୍ରରେ ଶିକ୍ଷୟିତ୍ରୀ ପାଇଁ ପାଇଁ ଚୟନ ପ୍ରକ୍ରିୟା ଚାଲିଛି। ଏହି ପଦବୀ ପାଇଁ ୩ ଜଣ ଆବେଦନ କରିଛନ୍ତି। ପରେ ଏନେଅ ବିବାଦ ହେବାରୁ ଘଟଣା କୋର୍ଟକୁ ଯାଇଥିଲା।
ଶିକ୍ଷାଗତ ଯୋଗ୍ୟତା ପାଇଁ ସୁଷମାଙ୍କୁ ଯୋଗ୍ୟ ବୋଲି କହି ଟଙ୍କା ନେଣଦେଣ ନେଇ ଫୋନରେ କଥା ହୋଇଥିଲେ ସିଡିପିଓ। ଏହା ସହିତ ସୁଷମାଙ୍କୁ ସିଡିପିଓ ସରକାରୀ କ୍ୱାଟରକୁ ମଧ୍ୟ ଡାକିଥିବା ଅଭିଯୋଗ ହୋଇଛି। ସେପଟେ ଏଥିପାଇଁ ସୁଷମା ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ୍ ବୋନ୍ଦରଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଅନ୍ୟପଟେ ଅଭିଯୋଗକୁ ନେଇ ସିଡିପିଓଙ୍କର ପ୍ରତିକ୍ରିୟା ମିଳିନାହିଁ। ଏହି ଭାଇରାଲ ଅଡ଼ିଓ କାହାର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି।