ବଲାଙ୍ଗୀର ଆର୍ଟିଓ ଆଫିସ ଛକ ଦୁର୍ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି, ମୁଖ୍ୟ ଅଭିଯୁକ୍ତ ନାମରେ ମାମଲା ରୁଜୁ

Published By : Prameya-News7 Bureau | May 22, 2022 IST

ବଲାଙ୍ଗୀର, ୨୨/୦୫: ଦୁର୍ଘଟଣା ନୁହେଁ । ହତ୍ୟା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର । ବଲାଙ୍ଗୀର ଆର୍ଟିଓ ଆଫିସ ଛକରେ ଦୁର୍ଘଟଣାକୁ ନେଇ ସିସିଟିଭି ଫୁଟେଜ ସମ୍ନାକୁ ଆସିବା ପରେ ଏବେ ସ୍ପଷ୍ଟ ହୋଇଛି ଦୁର୍ଘଟଣାର ଚିତ୍ର । ଏନେଇ ପୋଲିସ ଖୋଲତାଡ଼ ଆରମ୍ଭ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଚିତ୍ତରଞ୍ଜନ ମହାନ୍ତିଙ୍କ ସହ ଦୁଇଜଣକୁ ଅଟକ ରଖି ଆରମ୍ଭ କରିଛି ପଚରାଉଚୁରା । ସେପଟେ ୩୦୨, ୩୦୭, ୧୨୦ବି ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସେପଟେ ଗୁରୁତର ହୋଇଥିବା ସାନୁଙ୍କ ବାପା ଟାଉନ ଥାନାରେ ଏତଲା ଦେବା ସହ ତାଙ୍କ ପୁଅକୁ ହତ୍ୟା କରାଯିବାକୁ ଏଭଳି କରାଯାଇଥିବା ଉଲ୍ଲେଖ କରିଛନ୍ତି । ଗତକାଲି ଟାଉନ ଥାନାରୁ ସାନୁଙ୍କୁ ଫୋନ ଯାଇଥିଲା । ଥାନାରେ କିଛି ପୂର୍ବ ମାମଲାକୁ ନେଇ ପଚରାଉଚୁରା କରିବାକୁ କହି ଡ଼କାଯାଇଥିଲା ଓ ଥାନାକୁ ଯିବା ସମୟରେ ଏଭଳି ଘଟଣା ଘଟିଥିବା ତାଙ୍କ ବାପା କହିଛନ୍ତି ।

ତେବେ ଚିତ୍ତରଞ୍ଜନ କିଭଳି ଜାଣିଲେ ଯେ ସେ ଏହି ସମୟରେ ଥାନାକୁ ଯିବ ସେ ନେଇ ପ୍ରଶ୍ନ ଉଠିଥିବା ବେଳେ ଏଥିରେ କିଛି ପୋଲିସ ଅଧିକାରୀଙ୍କ ମଧ୍ୟ ହାତ ରହିଥିବା ଅଭିଯୋଗ ହୋଇଛି । ସେପଟେ ବିଭିନ୍ନ ତଥ୍ୟ ସହ ସୂଚନା ପୋଲିସ ଅପରାଧୀଙ୍କୁ ଦେଉଥିବାରୁ ଏଭଳି ଘଟଣା ମାନ ଘଟୁଥିବା ଅଭିଯୋଗ ଆଣିଛନ୍ତି ସାନୁଙ୍କ ବାପା ଓ ମୃତକ ବରଗଡ଼ ଜିଲ୍ଲାର ଶ୍ରୀକାନ୍ତଙ୍କ ପରିବାର ଲୋକ । ଏହି ଘଟଣାକୁ ନେଇ ଏବେ ଗୋଟିଏ କଥା ସ୍ପଷ୍ଟ ଯେ ଏହା ଏକ ଯୋଜନାବଦ୍ଧ ଭାବରେ ହତ୍ୟାକାଣ୍ଡ । ହେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସାନୁ । ସେପଟେ ସାନୁଙ୍କ ଘର ଓ ଚିତ୍ତରଞ୍ଜନଙ୍କ ଘର ପାଖରେ ରହିଥିବା ବେଳେ ସାନୁଙ୍କ ଜମିକୁ ଚିତ୍ତରଞ୍ଜନ କିଣିବା ନେଇ ଦୀର୍ଘ ଦିନ ଧରି ଝାମେଲା ଲାଗି ରହିଥିଲା । ଯାହା ଶେଷରେ ଉଗ୍ରରୂପ ନେଇ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.