ନୂଆଦିଲ୍ଲୀ: ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) ଅନୁଚିତ ବ୍ୟାପାର ପାଇଁ ଗୁଗଲ ଏବଂ ଏହାର ସହଯୋଗୀଙ୍କ ବିରୋଧରେ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି । ଗେମ୍ ଖେଳି ଟଙ୍କା ରୋଜଗାର କରୁଥିବା ଆପ୍କୁ ପ୍ଲେଷ୍ଟୋରରେ ସୂଚୀବଦ୍ଧ କରିବା ସହ ଜଡ଼ିତ ମାମଲାରେ ଏହି ଆଦେଶ ଦିଆଯାଇଛି । ଆୟୋଗ ନିଜ ଆଦେଶରେ କହିଛନ୍ତି ଯେ ଅଧିନିୟମର ଧାରା ୨୬(୧) ଅନୁସାରେ ମାମଲାର ତଦନ୍ତ ପାଇଁ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ମାମଲାର ତଦନ୍ତକୁ ୬୦ ଦିନ ଭିତରେ ଶେଷ ଏକ ବିସ୍ତୃତ ରିପୋର୍ଟ ଦେବା ପାଇଁ ଆୟୋଗ ନିର୍ଦ୍ଦେଶରେ କହିଛନ୍ତି । ଏହାସହ ସିସିଆଇ ସ୍ପଷ୍ଟ କରିଛନ୍ତି ଯେ ଆଦେଶରେ ତାଙ୍କ ଟିପ୍ପଣୀ ପ୍ରାଥମିକ ଦୃଶ୍ୟ ଆଧାରରେ ହୋଇଛି ଏବଂ ଏହା ଚୂଡ଼ାନ୍ତ ନିଷ୍ପତ୍ତି ନୁହେଁ । ୱିଞ୍ଜୋ ଗେମ୍ସର ଅଭିଯୋଗ ପରେ ସିସିଆଇ ଏହି ଆଦେଶ ଦେଇଛନ୍ତି । ଗୁଗଲ ନିଜର ପ୍ରଭାବୀ ସ୍ଥାନର ଦୁରୁପଯୋଗ କରିବା ଏବଂ ନିର୍ଦ୍ଦିଷ୍ଟ ଗେମିଂ ଶ୍ରେଣୀଙ୍କୁ ଅନୁଚିତ ରୂପେ ଗୁରୁତ୍ୱ ଦେଉଥିବା ଅଭିଯୋଗ ହୋଇଛି । ଯେଉଁଥି ପାଇଁ ଗେମିଂ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି ।
ନିୟାମକର ଆଦେଶରେ କୁହାଯାଇଛି ଯେ ଆଣ୍ଡରଏଡ୍ କ୍ଷେତ୍ରରେ ଗୁଗଲର ଦବଦବା ଯୋଗୁଁ ପ୍ରତିଦ୍ୱନ୍ଦ୍ୱିତା ରୋଧୀ ନିଷ୍ପତ୍ତି ପାଇଁ ଏହାର ନୀତିକୁ ଆକଳନ କରିବା ବାଧ୍ୟତାମୂଳକ । ଗୁଗଲ ଦ୍ୱାରା ବିକାଶିତ ମୋବାଇଲ୍ ଅପରେଟିଂ ସିଷ୍ଟମ ଆଣ୍ଡରଏଡ୍ ପରିଚାଳିତ ସମସ୍ତ ଫୋନରେ ପ୍ଲେଷ୍ଟୋର ପୂର୍ବରୁ ଇନଷ୍ଟଲ୍ ରହିଥାଏ । ଏହା ଜରିଆରେ ବ୍ୟବହାରକାରୀ କୌଣସି ଆପକୁ ଡାଉନଲୋଡ୍ କରିଥାନ୍ତି ।