ମନ କି ବାତ୍‌ରେ ସିବିଏସଇ ଟପ୍ପର ଛାତ୍ରଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫୋନ୍ କଲ, କ'ଣ ଆପଣ ଦିଲ୍ଲୀ ଆସିବା ପସନ୍ଦ କରିବେ ?

Published By : Prameya-News7 Bureau | July 26, 2020 IST

କୋଚି ୨୬।୦୭: ‘’ ହାଓ ଇଜ ଦ ଜୋସ୍ !’’ ପଚାରିଲେ ପ୍ରଧାନମନ୍ତ୍ରୀ। ‘’ହାଏ ସାର’’ ବୋଲି ଉତ୍ତର ଦେଲେ ବିନାୟକ ଏମ ମଲିଲ। ବିନାୟକ ଜବାହରଲାଲ ନବୋଦୟ ବିଦ୍ୟାଳୟର ଦ୍ଵାଦଶ ଶ୍ରେଣୀର ଛାତ୍ର। ସେ ସିବିଏସଇ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ବାଣିଜ୍ୟ ବିଭାଗରେ ରାଜ୍ୟରେ ଟପ୍ପର ହୋଇଛନ୍ତି। ୫୦୦ରୁ ସେ ୪୯୩ ନମ୍ବର ରଖିଛନ୍ତି। ସେ କେବେ ବି ସ୍ଵପ୍ନରେ ଭାବିନଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେବାକୁ ତାଙ୍କୁ ସୁଯୋଗ ମିଳିବ।

ନିଜର ଉତ୍ସାହକୁ ନିୟନ୍ତ୍ରଣ କରି ବିନାୟକ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ କଲ୍‌ ସଂପୂର୍ଣ୍ଣ ଭାବେ ଅପ୍ରତ୍ୟାଶିତ ଥିଲା। ଫଳାଫଳ ବାହାରିବାର ଦୁଇ ଦିନ ପରେ ଜଣେ ଉଚ୍ଚ ଅଧିକାରୀଙ୍କ ପକ୍ଷରୁ ମୋ ପାଖକୁ ଫୋନ୍ ଆସିଥିଲା। ତୁମ ପାଖକୁ ଖୁବ୍ ଶୀଘ୍ର ଜଣେ ମହତ୍ଵପୂର୍ଣ୍ଣ ବ୍ୟକ୍ତି ପରୀକ୍ଷା ରେଜଲ୍ଟ ନେଇ ଅଭିନନ୍ଦନ ଜଣାଇବା ପାଇଁ ଫୋନ୍ କରିବେ। ମୁଁ ଜାଣି ପାରିଲି ଯେ ଫାଇନାଲ ପୂର୍ବରୁ ଫୋନ୍ କରିବା ବ୍ୟକ୍ତି ବୋଧହୁଏ ପ୍ରଧାନମନ୍ତ୍ରୀ ହିଁ ହେବେ। ବାସ୍ତବରେ ମୁଁ ବହୁତ ଖୁସି ଏବଂ ଅତି ଉତ୍ସାହ କାରଣରୁ ମୁଁ ଶବ୍ଦରେ ଏହା ପ୍ରକାଶ କରି ପାରୁନାହିଁ। ବିନାୟକ କେରଳର ଇଡୁକି ଜିଲ୍ଲାର ଥୋଡୁପୁଝାର ବାସିନ୍ଦା।

କଥାବର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ପଚାରିଲେ କଣ ଆପଣ ଦିଲ୍ଲୀ ଆସିବା ପସନ୍ଦ କରିବେ ?  ଉତ୍ତରରେ ବିନାୟକ କହିଛନ୍ତି ମୁଁ ଉଚ୍ଚ ଶିକ୍ଷା ପାଇଁ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରେ ଆବେଦନ କରିଛି। ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକ୍ରମେ  ବିନାୟକ ନିଜର ସାଥୀଙ୍କୁ କହିଛନ୍ତି ଯେ, କଠିନ ପରିଶ୍ରମ ଓ ସମୟର ସଦୁପଯୋଗ ହିଁ ବୋର୍ଡ ପରୀକ୍ଷାରେ ସଫଳତାର ପୁଞ୍ଜି। ମୋଦୀ ତାଙ୍କୁ ନିଜର ସଉକ ବିଷୟରେ ପଚାରିଥିଲେ ଏବଂ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛ କି ନାହିଁ ମଧ୍ୟ ପଚାରିଥିଲେ।

ମୁଁ ସର୍ବଦା ବ୍ୟାଡମିଣ୍ଟନ ଖେଳେ ଏବଂ ପ୍ରଥମରୁ ହିଁ ସ୍କୁଲରୁ ପ୍ରଶିକ୍ଷଣ ପାଇଛି। ଆମକୁ ବାହାରେ ମଧ୍ୟ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ମିଳିଛି।  ମାତ୍ର ଆମକୁ ସ୍କୁଲ ପରିସରରେ ଇଲେକ୍ଟ୍ରୋନିକ ଡିଭାଇସ୍‌ କିମ୍ବା ଗେଜେଟ୍‌ସର ଉପଯୋଗ କରିବାକୁ ଅନୁମତି ନାହିଁ ବୋଲି ବିନାୟକ ଉତ୍ତରରେ କହିଛନ୍ତି।

ବିନାୟକଙ୍କ ବାପା ମନୋଜ ମଲିଲ ପୁଅର ସଫଳତାର ଶ୍ରେୟ ଶିକ୍ଷକଙ୍କୁ ଦେଇଛନ୍ତି। ବିନାୟକ ଷଷ୍ଠ ଶ୍ରେଣୀରେ ଜବାହର ନବୋଦୟ ବିଦ୍ୟାଳୟରେ ପଢା ଆରମ୍ଭ କରିଥିଲା। ଶିକ୍ଷକଙ୍କ ଗାଇଡ୍‌ଲାଇନ୍ ଅନୁଯାୟୀ ପାଠ ପଢୁଥିଲା। ଛୁଟି ସମୟରେ ହିଁ ସେ ଘରକୁ ଆସିଥାଏ ଏବଂ ବାକି ସମୟ ସର୍ବଦା ସ୍କୁଲରେ ଥାଏ ବୋଲି ବିନାୟକଙ୍କ ବାପା କହିଛନ୍ତି। ପ୍ରିନ୍ସିପାଲ ଷ୍ଟେଲା ମ୍ୟାଡମ୍‌ ପୁଅକୁ  ଭଲ ପଢିବା ପାଇଁ ସର୍ବଦା ପ୍ରୋତ୍ସାହିତ କରି ଆସିଛନ୍ତି। ଯାହା ଫଳରେ ପୁଅ ଆଜି ସେହି ସଫଳତା ପାଇ ପାରିଛି ବୋଲି ବାପା ମନୋଜ ମଲିଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.