ଆଜିଠୁ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା : ମୋଟ ୧୦ ହଜାରରୁ ଅଧିକ ସେଣ୍ଟର, ପରୀକ୍ଷା ଦେବେ ୩୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ

Published By : Prameya-News7 Bureau | February 15, 2020 IST

ଭୁବନେଶ୍ବର ୧୫।୦୨: ଶନିବାର ଠାରୁ  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ବା ସିବିଏସଇର ଦଶମ ପରୀକ୍ଷା ଆରମ୍ଭ ହେବ। ଯାହା ମାର୍ଚ୍ଚ ୨୦ ତାରିଖରେ ସରିବ । ପରୀକ୍ଷା ସକାଳ ୧୦ଟା୩୦ରୁ ଆରମ୍ଭ ହେଉଥିବା ବେଳେ କିଛି ପରୀକ୍ଷା ୧୨ଟା୩୦ ଓ ଅନ୍ୟ କିଛି ପରୀକ୍ଷା ୧ଟା୩୦ରେ ସରିବ । ତେବେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରେ ୧୦ଟାରୁ ୧୦ଟା ୧୫ ମଧ୍ୟରେ ଆନସର୍‌ ସିଟ୍‌ ବା ଉତ୍ତର ଖାତା ଦିଆଯିବ । ୧୦ଟା ୧୫ ପରେ ପ୍ରଶ୍ନପତ୍ର ଦିଆଯିବ ।

ବିଦ୍ୟାର୍ଥୀମାନେ ନିଜ ବାବଦରେ ବିସ୍ତୃତ ବିବରଣୀ ଉତ୍ତର ଖାତାର ଉଦ୍ଦିଷ୍ଟ ସ୍ଥାନରେ ଲେଖିବେ । ଯାହାକୁ ପରୀକ୍ଷା କେନ୍ଦ୍ରର ସହ ଅଧୀକ୍ଷକ ଯାଞ୍ଚ କରିବେ । ୧୦ଟା ୧୫ରୁ ୧୦ଟା ୩୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପ୍ରଶ୍ନପତ୍ର ପଢ଼ିବେ । ସେହି ସମୟ ମଧ୍ୟରେ ଉତ୍ତର ଲେଖିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ୧୦ଟା୩୦ରୁ ଛାତ୍ରଛାତ୍ରୀମାନେ ଉତ୍ତର ଲେଖିବା ଆରମ୍ଭ କରିବେ ।

ସେହିପରି ସିବିଏସ୍‌ଇର ଦ୍ୱାଦଶ ପରୀକ୍ଷା ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ । ଦ୍ୱାଦଶ ପରୀକ୍ଷା ମଧ୍ୟ ୧୦ଟା ୩୦ରୁ ଆରମ୍ଭ ହେବ । ଦଶମ ଭଳି ଦ୍ୱାଦଶର ପ୍ରଶ୍ନପତ୍ର ଦେବା, ପଢ଼ିବା ଓ ଉତ୍ତର ଖାତା ଦେବା ସମୟ ସମାନ ରହିଛି । ସକାଳ ୮ଟା୩୦ରୁ ରିପୋଟିଂ କରିବାକୁ କୁହାଯାଇଛି । ଦ୍ୱାଦଶର ପ୍ରଥମ ଦିନରେ ଓଡ଼ିଶା ନୃତ୍ୟର ପରୀକ୍ଷା ଥିବା ବେଳେ ୨୦ରେ ଚିତ୍ରାଙ୍କନ ପରୀକ୍ଷା ରହିଛି । ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଆସିବା ସମୟରେ ନିଜର ଅରିଜିନାଲ୍‌ ଆଡ଼ମିଟ୍‌ କାର୍ଡ଼ ଆଣିବାକୁ ବୋର୍ଡ଼ର ପରୀକ୍ଷା ନିୟନ୍ତ୍ରକ କହିଛନ୍ତି । ପରୀକ୍ଷା କେନ୍ଦ୍ର ଭିତରକୁ କେବଳ ଟ୍ରାନ୍ସପରେଣ୍ଟ୍‌ ବୋର୍ଡ଼ ନେବାକୁ ଅନୁମତି ରହିଛି ।

ସାରା ଦେଶରେ ୩୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୧୦ ହଜାର ସେଣ୍ଟରରେ ପରୀକ୍ଷା ଦେବେ । ସେହିପରି  ଚଳିତବର୍ଷ ଓଡ଼ିଶାରୁ ଦଶମ ଶ୍ରେଣୀରେ ୧୯ ହଜାର ଓ ଦ୍ୱାଦଶ ଶ୍ରେଣୀରେ ୧୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.