ଜାଣନ୍ତୁ ଏଥର ସିବିଏସଇ ବୋର୍ଡ଼ କେବେ ଜାରି କରିବ ପରୀକ୍ଷା ଡେଟସିଟ୍

Published By : Prameya-News7 Bureau | November 19, 2019 IST

ନୂଆଦିଲ୍ଲୀ ୧୯/୧୧: କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ଼ ଜାନୁୟାରୀ ମାସ​ରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ତାରିଖ ତାଲିକା ଜାରି କରିବ। ଏହି ସୂଚନା ସିବିଏସଇର ଜଣେ ଅଧିକାରୀ ଦେଇଛନ୍ତି। ଏକ ଘରୋଇ ଚ୍ୟାନେଲ୍ ସହ କଥା ହେବାବେଳେ ଏହା ଜଣା ପଡ଼ିଥିଲା। ସେ କହିଥିଲେ ଯେ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫେବୃୟାରୀ ମାସର ତୃତୀୟ ସପ୍ତାହରେ ଆରମ୍ଭ ହୋଇପାରେ। ଗତ ବର୍ଷ ତୁଳନାରେ ବୋର୍ଡ଼ ମାସେ ପୂର୍ବରୁ ପରୀକ୍ଷା ଆରମ୍ଭ କରିବାର ନିଷ୍ପତ୍ତି ନେଇଛି।

ବୋର୍ଡ଼ ଅନୁଯାୟୀ ଏହି ନିଷ୍ପତ୍ତି ଏଥିପାଇଁ ନିଆଯାଇଛି କାରଣ ଛାତ୍ର ସମ୍ବନ୍ଧିତ ହାୟର କୋର୍ସ ପାଇଁ ନୂଆ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଫଳାଫଳ ଜାରି କରି ଦିଆଯିବ। ଏପରି ହେବା ଦ୍ବାରା ଛାତ୍ରଛାତ୍ରୀଙ୍କୁ ଆଡମିସନ ସମୟରେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ବୋର୍ଡ଼ ତରଫରୁ ଦଶମ ଏବଂ ଦ୍ବାଦଶ ପରୀକ୍ଷାର ପରୀକ୍ଷା ସମୟ ନିର୍ଘଣ୍ଟ ଅଫିସିଆଲ ଓ୍ବେବସାଇଟ cbse.nic.in ରେ ଛଡ଼ାଯିବ। ସିବିଏସଇ ସମସ୍ତ ବିଷୟର ନମ୍ବର ପ୍ୟାଟର୍ଣ୍ଣ ଜାରି କରି ଦେଇଛି।

ବୋର୍ଡ଼ ଅନୁସାରେ ଜାରି କରାଯାଇଥିବା ନୂଆ ସର୍କୁଲାର ଅନୁଯାୟୀ ଦଶମରେ ପାସ୍ ହେବା ପାଇଁ ପ୍ରତ୍ୟେକ ବିଷୟରେ ପ୍ରାକ୍ଟିକାଲ ଏବଂ ଥିଓରୀ ମିଶାଇ ୩୩ପ୍ରତିଶତ ନମ୍ବର ରଖିବାକୁ ପଡ଼ିବ। କିନ୍ତୁ ଦ୍ବାଦଶ ଶ୍ରେଣୀରେ ଏପରି ନାହିଁ।

ଦ୍ବାଦଶ ଶ୍ରେଣୀରେ ପାସ ହେବା ପାଇଁ ପ୍ରାକ୍ଟିକାଲ,ଥିଓରି ଏବଂ ଇଣ୍ଟରନାଲ ଆସେସମେଣ୍ଟରେ ସ୍ବତନ୍ତ୍ରଭାବେ ୩୩ପ୍ରତିଶତ ମାର୍କ ରଖିବାକୁ ପଡ଼ିବ। ଦ୍ବାଦଶ ପରୀକ୍ଷାରେ ୭୦ନମ୍ବର ଥିବା ବିଷୟରେ ୨୩ ଏବଂ ୮୦ନମ୍ବର ଥିବା ବିଷୟରେ ୨୬ ନମ୍ବର ରଖିବା ଜରୁରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.