ମୋଦୀ ସରକାରଙ୍କ ଘୋଷଣା- ଦିଲ୍ଲୀର ଏହି ଜିଲ୍ଲାକୁ ଛାଡି ପୂରା ଦେଶରେ ହେବ ନାହିଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା
5/05/2020 at 8:03 PM

ନୂଆଦିଲ୍ଲୀ ୦୫।୦୫: ଦିଲ୍ଲୀର ଉତ୍ତର-ପୂର୍ବ ଜିଲ୍ଲା ବ୍ୟତୀତ ଦେଶର ଅନ୍ୟ କେଉଁଠି ବି ସିବିଏସଇର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବ ନାହିଁ। ମଙ୍ଗଳବାର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଦେଶରେ କେଉଁଠି ବି ଦଶମ ଶ୍ରେଣୀ ପରୀକ୍ଷା ହେବ ନାହିଁ। କେବଳ ଉତ୍ତର-ପୂର୍ବ ଦିଲ୍ଲୀର ଛାତ୍ରଙ୍କ ପାଇଁ ବାକି ରହିଥିବା ବିଷୟର ପରୀକ୍ଷା ହେବ। ପରୀକ୍ଷା ପୂର୍ବରୁ ଛାତ୍ରଙ୍କୁ ପ୍ରସ୍ତୁତି ଲାଗି ୧୦ ଦିନର ସମୟ ଦିଆଯିବ।
ନିକଟରେ ସିବିଏସଇ ସଚିବ ଅନୁରାଗ ତ୍ରିପାଠୀ କହିଥିଲେ, ଏବେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କେବଳ ଏକ କିମ୍ବା ଦୁଇଟି ବିଷୟର ପରୀକ୍ଷା ବାକି ରହିଛି। ଯେଉଁ ବିଷୟର ପରୀକ୍ଷା ବାକି ରହିଛି ତାର ଆୟୋଜନ ନହେଲେ ବି ପିଲାଙ୍କ ଭବିଷ୍ୟତ ଉପରେ କିଛି ପ୍ରଭାବ ପଡିବ ନାହିଁ। ଏହି କ୍ରମରେ ଆଜି ମାନବ ସମ୍ଵଳ ବିକାଶ ମନ୍ତ୍ରୀ ଦଶମ ଶ୍ରେଣୀ ଆୟୋଜିତ ହେବ ନାହିଁ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ସିବିଏସଇ ବୋର୍ଡ, ନିଟ୍, ମେନ ପରୀକ୍ଷାକୁ ନେଇ ମଙ୍ଗଳବାର ମାନବ ସମ୍ଵଳ ବିକାଶ ମନ୍ତ୍ରୀ ଡଃ. ରମେଶ ପୋଖରିୟାଲ ନିଶଙ୍କ ଛାତ୍ରଙ୍କ ସହ ଲାଇଭ୍ ଚାଟ୍ରେ ପରୀକ୍ଷା ସମ୍ବନ୍ଧରେ ଆଲୋଚନା କରିଛନ୍ତି। ଏହି ସମୟରେ ସେ ଛାତ୍ରଙ୍କୁ ପରାମର୍ଶ ଦେବା ସହିତ ସେମାନଙ୍କ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି।