ଆଜିଠାରୁ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀର ପ୍ରମୁଖ ବିଷୟ ପରୀକ୍ଷା

Published By : Prameya-News7 Bureau | March 02, 2019 IST

ଭୁବନେଶ୍ବର ୨|୩ : ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀର ପ୍ରମୁଖ ବିଷୟ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। ଗତ ଫେବ୍ରୁଆରି ୧୫ରୁ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ପରୀକ୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଓଡ଼ିଶାରୁ ବିଶେଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉ ନଥିଲେ। ତେଣୁ ଓଡ଼ିଶା ତଥା ସିବିଏସଇ ଭୁବନେଶ୍ବର ଜୋନ୍  ପାଇଁ ଆଜିଠୁ ପରୀକ୍ଷା ହେଉଛି। ପ୍ରଥମ ଦିନ ଇଂରାଜୀ ବିଷୟର ପରୀକ୍ଷା । ଦେଶରୁ ୧୨ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା  ବେଳେ ଓଡ଼ିଶାରୁ ପ୍ରାୟ ୧୬ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ଏପ୍ରିଲ ୪ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ସେହିପରି ଦଶମ ଶ୍ରେଣୀର ପ୍ରମୁଖ ବିଷୟ ପରୀକ୍ଷା ବି ଆଜିଠାରୁ ଆରମ୍ଭ ହେଉଛି । ସାରା ଦେଶରେ ଫେବ୍ରୁଆରି ୨୧ରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି। ଇଲେକ୍ଟିଭ୍  ବିଷୟଗୁଡ଼ିକର ପରୀକ୍ଷା ଚାଲିଥିବା ବେଳେ ଆଜିଠୁ ମୁଖ୍ୟ ପରୀକ୍ଷା । ପ୍ରଥମ ଦିନ ଆଇଟି ବିଷୟର ପରୀକ୍ଷା ।

ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ପରୀକ୍ଷାର୍ଥୀଙ୍କ ପାଇଁ କେତେକ କଟକଣା ଜାରି ହୋଇଛି। ପରୀକ୍ଷାର୍ଥୀମାନେ ହଲ୍ କୁ ଯିବା ସମୟରେ ସାଙ୍ଗରେ କେବଳ କଲମ ଓ ଆବଶ୍ୟକୀୟ  ଷ୍ଟେସନାରି ସାମଗ୍ରୀ ନେଇପାରିବେ। ଡାଇବେଟିକସ୍  ପରୀକ୍ଷାର୍ଥୀଙ୍କ ପାଇଁ ନିୟମରେ କୋହଳ କରାଯାଇଛି। ସେମାନେ ହଲ୍ କୁ ଯିବା ବେଳେ ସାଙ୍ଗରେ ସ୍ନାକ୍ସ ନେଇପାରିବେ। ସିବିଏସ୍ ଇ ଆଡମିଟ୍ କାର୍ଡ ସମେତ ସ୍କୁଲ ପରିଚୟପତ୍ର ସାଙ୍ଗରେ ନେଇ ପରୀକ୍ଷାର୍ଥୀ ହଲ୍ କୁ ଯିବେ। ଏହି ଦୁଇ ପରିଚୟପତ୍ର ନଥିଲେ କୌଣସି ବି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଏଥର ୟୁନିଫର୍ମ ବାଧ୍ୟତାମୂଳକ କରାଯାଇଛି। ଫୋନ୍ , ସ୍ମାର୍ଟ ୱାଚ୍ , ହେଲ୍ ଥ ବ୍ୟାଣ୍ଡ, ବ୍ଲୁଟୁଥ୍ , ହେଡ୍  ଫୋନ୍ , କାଲକୁଲେଟର ପରି ସାମଗ୍ରୀ ଉପରେ କଟକଣା ଜାରି ହୋଇଛି। ଯଦି କୌଣସି ପରୀକ୍ଷାର୍ଥୀଙ୍କ ନିକଟରୁ କପି ଧରାପଡ଼ିବ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଚିପ୍ସ, ମୃଦୁପାନୀୟ, ବିସ୍କୁଟ୍  ପରି ସାମଗ୍ରୀ ନେବାକୁ ଅନୁମତି ଦିଆଯିବ ନାହିଁ ବୋଲି ସିବିଏସଇ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.