ଜୁଲାଇ ୧ରୁ ୧୫ ସୁଦ୍ଧା ସରିବ ବାକିଥିବା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା, ଜାରି ହେଲା ବିଜ୍ଞପ୍ତି
8/05/2020 at 5:18 PM

ନୂଆଦିଲ୍ଲୀ ୮।୫: କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ବାକି ଥିବା ଦଶମ ଓ ଦ୍ୱାଦଶ ପରୀକ୍ଷା ଲାଗି ଶୁକ୍ରବାର ତାରିଖ ଘୋଷଣା କରିଛନ୍ତି। ଏ ନେଇ ସିବିଏସଇ ବିଜ୍ଞପ୍ତି ଜାରି କରିଥିବା ବେଳେ ଜୁଲାଇ ୧ରୁ ୧୫ ତାରିଖ ସୁଦ୍ଧା ଏହି ସବୁ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଛାତ୍ରଛାତ୍ରୀଙ୍କୁ ସୂଚିତ କରିଛନ୍ତି।

ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ସରକାର ମାର୍ଚ୍ଚ ୨୫ ତାରିଖରେ ପ୍ରଥମ ଲକଡାଉନ୍ ଘୋଷଣା କରିଥିଲେ। ତେବେ ସେତେବେଳେ ଚାଲିଥିବା ସିବିଏସଇ ବୋର୍ଡ ପରୀକ୍ଷା ଶେଷ ହୋଇ ନଥିଲା। ଏଣୁ ଲକଡାଉନ୍ ଓ କରୋନା ସଂକ୍ରମଣ ଭୟକୁ ନଜରରେ ରଖି ଛାତ୍ରଛାତ୍ରୀଙ୍କ ବାକି ପରୀକ୍ଷା ବନ୍ଦ କରିଦିଆଯାଇଥିଲା।

ତେବେ ଆଗକୁ ହେବାକୁ ଥିବା ଜେଇଇ ମେନ୍ ପରୀକ୍ଷା ପୂର୍ବରୁ ବାକି ଥିବା ପରୀକ୍ଷା ଶେଷ କରିବା ଲାଗି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟଙ୍କ ନିର୍ଦ୍ଦେଶ ପରେ ସିବିଏସଇ ଏହି ପଦକ୍ଷେପ ନେବାକୁ ଯାଉଛନ୍ତି। ଚଳିତବର୍ଷ ଜୁଲାଇ ୧୮ରୁ ୨୩ ତାରିଖ ମଧ୍ୟରେ ସାରା ଦେଶରେ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ। ଏଣୁ ସେହି ଅନୁସାରେ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ କରିବା ଜରୁରି ଥିବାରୁ ଏବେ ପରୀକ୍ଷା ଖାତା ମୂଲ୍ୟାୟନ ଓ ବକେୟା ପରୀକ୍ଷା ଶେଷ କରିବା ଉପରେ ସିବିଏସଇ ପ୍ରାଥମିକତା ଦେଉଛନ୍ତି।