ସିସୋଦିଆଙ୍କ ଘରୁ ବାହାରିଲା ସିବିଆଇ ଟିମ୍, ୧୪ ଘଣ୍ଟା ଧରି ଚାଲିଲା ଛାନଭିନ
19/08/2022 at 11:24 PM

ନୂଆଦିଲ୍ଲୀ: ତ୍ରୁଟିପୂର୍ଣ୍ଣ ଅବକାରୀ ନୀତିକୁ ନେଇ ଚଢାଉ କରିଥିବା ସିବିଆଇ ଟିମ୍ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରୁ ବାହାରିଛି। ଦୀର୍ଘ ୧୪ ଘଣ୍ଟାରୁ ଅଧିକ ସମୟ ଧରି ସିବିଆଇ ତାଙ୍କ ଘରେ ଯାଞ୍ଚ ଖୋଳତାଡ ଚଲାଇଥିଲା। ଏତେ ସମୟ ଧରି ରେଡ୍ ମାରିବା ପରେ ବି ସିବିଆଇ ସିସୋଦିଆଙ୍କୁ ନିଜ ହେପାଜତକୁ ନେଇ ନାହିଁ। ତେବେ ଯାଞ୍ଚ ସମୟରେ ସିବିଆଇକୁ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ମିଳିଥିବା କୁହାଯାଉଛି।
ସିବିଆଇ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ସମେତ ୨୧ଟି ସ୍ଥାନରେ ଚଢାଉ କରିଥିଲା। ଏଜେନ୍ସି ଦାବି କରିଛି ଯେ, ସିସୋଦିଆଙ୍କ ନିକଟତମ କମ୍ପାନୀକୁ କଥିତ ଭାବେ ଏକ କୋଟି ଟଙ୍କା ଦିଆଯାଇଛି। ସଞ୍ଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୨୦୨୪ରେ ପରବର୍ତ୍ତୀ ସାଧାରଣ ନିର୍ବାଚନ ଆପ୍ ବନାମ ବିଜେପି ହେବ। ମୋଦୀ ବନାମ କେଜ୍ରିଓ୍ଵାଲ ହେବ। ଆମେ ବିଜେପିର ମୁକାବିଲା କରିବୁ। ବିଜେପି ଆମକୁ ଅଟକାଇ ପାରିବ ନାହିଁ। କେଜ୍ରିଓ୍ଵାଲ କିମ୍ବା ଆମର ଶିକ୍ଷା, ସ୍ଵାସ୍ଥ୍ୟ ମୋଡେଲକୁ ରୋକି ପାରିବ ନାହିଁ।
ଦିଲ୍ଲୀର ଅବକାରୀ ନୀତିରେ କଥିତ ଦୁର୍ନୀତିର ଯାଞ୍ଚ ପାଇଁ ଉପ ରାଜ୍ୟପାଳଙ୍କ ସୁପାରିଶ ପରେ ଶୁକ୍ରବାର ସିସୋଦିଆଙ୍କ ସରକାରୀ ବାସଭବନ ସମେତ ୭ ରାଜ୍ୟର ୨୧ଟି ଠିକଣାରେ ସିବିଆଇ ଚଢାଉ କରିଛି। ଯାଞ୍ଚ ସମୟରେ ସିବିଆଇ ଅନେକ ଡିଭାଇସ୍ ଏବଂ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୧୫ ଜଣଙ୍କ ନାମରେ ଏଫଆଇଆର ରୁଜୁ ହୋଇଛି। ଚଢାଉକୁ ନେଇ ଆପ୍ କ୍ଷୁବ୍ଧ ହୋଇ ଉଠିଛି ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି।