ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏବେ ଆକ୍ସନରେ ସିବିଆଇ, KCRଙ୍କ ଝିଅ କେ.କବିତାଙ୍କୁ ପଠାଇଲା ସମନ

Published By : Prameya-News7 Bureau | February 21, 2024 IST

ନୂଆଦିଲ୍ଲୀ: ଦିଲ୍ଲୀର କଥିତ ମଦ ନୀତି ଦୁର୍ନୀତି ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସହ ଏବେ ସିବିଆଇ ମଧ୍ୟ ଆକ୍ଟିଭ ହୋଇଛି । ସିବିଆଇ କଥିତ ମଦ ନୀତି ଦୁର୍ନୀତି ମାମଲାରେ ବିଆରଏସ ନେତା କବିତାଙ୍କୁ ନୋଟିସ ପଠାଇଛି । ଖବର ଅନୁସାରେ, ସିବିଆଇ ବିଆରଏସ ନେତ୍ରୀ କେ.କବିତାଙ୍କୁ ପଚରାଉଚରା ପାଇଁ ଆଗାମୀ ସପ୍ତାହରେ ହାଜର ହେବାକୁ ସମନ କରିଛି । ସିବିଆଇର ଏହି ସମନ ଏପରି ସମୟରେ ଆସିଛି ଯେତେବେଳେ ଇଡି ଏହି ମାମଲାରେ ଜଡ଼ିତ ମନି ଲଣ୍ଡରିଂ କେସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ନିକଟରେ ଷଷ୍ଠ ସମନ ଜାରି କରିଥିଲା । ତେବେ କେଜରିୱାଲ ଏହି ସମନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାମନାରେ ହାଜର ହୋଇ ନଥିଲେ ।

ଜଣେ ଅଧିକାରୀ ବୁଧବାର କହିଛନ୍ତି ଯେ ସିବିଆଇ ଦିଲ୍ଲୀର କଥିତ ମଦ ନୀତି ଦୁର୍ନୀତି ମାମଲାରେ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ ଏବଂ ବିଆରଏସ ବିଧାୟକ କେ.କବିତାଙ୍କୁ ଆସନ୍ତା ସପ୍ତାହ ପାଇଁ ନୋଟିସ ପଠାଇଛି । କେ.କବିତାଙ୍କୁ ସୋମବାର ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟରେ ଉପସ୍ଥିତ ହେବା ପାଇଁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ୨୦୨୨ ଡିସେମ୍ୱରରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ହାଇଦ୍ରାବାଦରେ କେ.କବିତାଙ୍କ ଘରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା ।

ପଢନ୍ତୁ: ଷଷ୍ଠ ସମନକୁ ବି କେଜ୍ରିଓ୍ବାଲଙ୍କ ଅଣଦେଖା; ଇଡି ସମନ ଅବୈଧ କହିଲା ଆପ୍

କେ.କବିତାଙ୍କ ଓକିଲ ନିତେଶ ରାଣା ସିବିଆଇର ଏହି ସମନ ଉପରେ ଟିପ୍ପଣୀ କରିବାକୁ ମନା କରିଛନ୍ତି । ସୂତ୍ର ଅନୁସାରେ ସିବିଆଇ ଦିଲ୍ଲୀ ଅବକାରୀ ନୀତିକୁ ପ୍ରଭାବିତ କରିବା ପାଇଁ କେ.କବିତାଙ୍କ ଭୂମିକା ଏବଂ ଲାଞ୍ଚର କଥିତ ଅଭିଯୋଗର ଛାନଭିନ କରୁଛି । ସୂଚନାଯୋଗ୍ୟ ଯେ ଇଡି କଥିତ ମଦ ଦୁର୍ନୀତି ମମଲାରେ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ବିଜୟ ନାୟରଙ୍କୁ ସାଉଥ୍ ଗ୍ରୁପର ନେତାଙ୍କ ପକ୍ଷରୁ ଅତି କମରେ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଥିଲେ ।

ଇଡି ଅଭିଯୋଗ ଆଣିଥିଲା ଯେ ଏହି ମାମଲାରେ ୧୦୦ କୋଟି ଟଙ୍କାର ଲାଞ୍ଚର ଗୋଟିଏ ଭାଗ ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ନିର୍ବାଚନ ଅଭିଯାନରେ ବ୍ୟବହାର କରାଯାଇଥିଲା । ସାଉଥ ଗ୍ରୁପରେ ୱାଇଏସଆର କଂଗ୍ରେସ ମଗୁଣ୍ଟା ଶ୍ରୀନିଭାସୁଲୁ ରେଡ୍ଡି, ତାଙ୍କ ପୁଅ ରାଘବ ମଗୁଣ୍ଟା, ସରଥ ରେଡ୍ଡି (ଅରବିନ୍ଦୋ ଗ୍ରୁପର ପ୍ରମୋଟର), କେ.କବିତା ଏବଂ ମହେନ୍ଦ୍ରୁ ସାମିଲ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.