ଲାଲୁ ଯାଦବଙ୍କୁ ସିବିଆଇ ନୋଟିସ୍, ଜମି ବଦଳେ ଚାକିରି ମାମଲାରେ ହେବ ପଚରାଉଚରା

Published By : Prameya-News7 Bureau | March 06, 2023 IST

ନୂଆଦିଲ୍ଲୀ: ଆରଜେଡି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଖୁବଶୀଘ୍ର ପଚରାଉଚରା କରିପାରେ କେନ୍ଦ୍ରୀୟ ଏଜେନ୍ସି । ସମ୍ୱାଦ ସରବହାର ସଂସ୍ଥା ଏଏନଆଇ ସିବିଆଇ ଅଧିକାରୀଙ୍କ ସୂତ୍ରରୁ କହିଛି ଯେ ଜମି ବଦଳେ ଚାକିରି ମାମଲାରେ କିଛି ଦିନ ପୂର୍ବେ ସିବିଆଇ ଲାଲୁ ଯାଦବଙ୍କୁ ନୋଟିସ୍ ଜାରି କରିଥିଲା । ଏବେ ଖବର ଅନୁସାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଶୀଘ୍ର ତାଙ୍କୁ ପଚରାଉଚରା କରିପାରେ ।

ଏହା ପୂର୍ବରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଲାଲୁ ଯାଦବଙ୍କ ପତ୍ନୀ ରାବଡୀ ଦେବୀଙ୍କ ଘରେ ସିବିଆଇ ଟିମ ଯାଞ୍ଚ ପାଇଁ ପହଞ୍ଚିଥିଲା । ପ୍ରାୟ ପାଞ୍ଚ ଘଣ୍ଟା ଧରି ରାବଡୀ ଦେବୀଙ୍କୁ ପଚରାଉଚରା କରିବା ପରେ ଟିମ୍ ତାଙ୍କ ଘରୁ ବାହାରିଥିଲେ । ସିବିଆଇ ଟିମ ଜମି ବଦଳେ ଚାକିରି ମାମଲାରେ ପଚରାଉଚରା କରିଛି । ଏଥିରେ ତାଙ୍କ ଝିଅ ସୀମା ଭାରତୀଙ୍କ ସହ ୧୪ ଜଣ ଅଭିଯୁକ୍ତ ଅଟନ୍ତି । ମାର୍ଚ୍ଚ ୧୫ରେ ଲାଲୁ ଯାଦବ, ତାଙ୍କ ପତ୍ନୀ ରାବଡୀ ଦେବୀ ଏବଂ ଝିଅ ସୀମା ଭାରତୀଙ୍କୁ କୋର୍ଟରେ ହାଜର ହେବା ପାଇଁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁ ପ୍ରସାଦ ଯାଦବ ୟୁପିଏ ସରକାରରେ ରେଳ ମନ୍ତ୍ରୀ ଥିଲେ । ଅଭିଯୋଗ ରହିଛି ଯେ ଲାଲୁ ରେଳ ମନ୍ତ୍ରୀ ରହିବା ସମୟରେ ରେଲୱେ ଭର୍ତ୍ତିରେ ଦୁର୍ନୀତି ହୋଇଥିଲା । ଚାକିରି ଦେବା ପାଇଁ ଆଶାୟୀଙ୍କ ଠାରୁ ଜମି ଏବଂ ଫ୍ଲାଟ୍ ନିଆଯାଇଥିଲା । ସିବିଆଇ ଏହି ମାମଲାର ତଦନ୍ତ ପରେ ଲାଲୁ ଯାଦବ ଏବଂ ତାଙ୍କ ଝିଅ ସୀମା ଭାରତୀଙ୍କ ବିରୋଧରେ ମାମଲାର ରୁଜୁ କରିଥିଲା । ଜମି ଗୁଡିକ ରାବଡୀ ଦେବୀ ଏବଂ ସୀମା ଭାରତୀଙ୍କ ନାଁରେ ନିଆଯାଇଥିବା ଅଭିଯୋଗ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.