ନାଫେ ସିଂହ ରାଠୀଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବୁ: ହରିଆଣା ଗୃହମନ୍ତ୍ରୀ

Published By : Prameya-News7 Bureau | February 26, 2024 IST

ନୂଆଦିଲ୍ଲୀ: ଭାରତୀୟ ଜାତୀୟ ଲୋକ ଧଳ(ଆଇଏନ୍‌ଏଲଡି)ର ହରିଆଣା ମୁଖ୍ୟ ନାଫେ ସିଂହ ରାଠୀଙ୍କ ହତ୍ୟା ଘଟଣାରେ ହରିଆଣା ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବେ। ଏନେଇ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ବିଜ ବିଧାନସଭାରେ ସୂଚନା ଦେଇଛନ୍ତି। ସେ କହିଛନ୍ତି “ ଯଦି ସିବିଆଇ ତଦନ୍ତ କଲେ ଗୃହରେ ଶାନ୍ତି ରହିବ ତେବେ ମୁଁ ସଦସ୍ୟମାନଙ୍କୁ ପ୍ରତିଶ୍ରୁତି ଦେଉଛି ଆମେ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବୁ।”

ରବିବାର ଝଜର ଠାରେ ପୂର୍ବତନ ବିଧାୟକ ରାଠୀ ଓ ତାଙ୍କ ସହକର୍ମୀଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ସେ ତାଙ୍କ ଏସ୍‌ୟୁଭିରେ ଯାଉଥିବା ବେଳେ ଝଜରର ବାହାଦୁରଗଡ଼ ଟାଉନ୍‌ରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ରାଠୀଙ୍କ ସୁରକ୍ଷାରେ ନିଯୁକ୍ତ ଥିବା ତାଙ୍କର ୩ ଜଣ ଘରୋଇ ଗନ୍‌ମ୍ୟାନ୍‌ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଛନ୍ତି।  

ପଢ଼ନ୍ତୁ-‘’କଂଗ୍ରେସ କ୍ଷମତାକୁ ଆସିଲେ ହଟିବ ‘ଅଗ୍ନିପଥ’, ସେନାରେ ଲାଗୁ କରିବୁ ପୁରୁଣା ନିଯୁକ୍ତି ବ୍ୟବସ୍ଥା’’  

ଘଟଣାକୁ ନେଇ ଆଜି ମଧ୍ୟପ୍ରଦେଶ ବିଧାନସଭାରେ ହଟ୍ଟୋଗଳ ହୋଇଥିଲା। ମାମଲାର ସିବିଆଇ ତଦନ୍ତ ପାଇଁଢ ବିରୋଧୀ ଦଳର ନେତାମାନେ ଗୃହରେ ଦାବି କରିଥିଲେ। ଏନେଇ ଗୃହ ସ୍ଥଗିତ ପ୍ରସ୍ତାବକୁ ମଧ୍ୟ ବିଧାନସଭା ସ୍ପିକର ଗ୍ରହଣ କରି ନେଇଥିଲେ। ଏହି ମାମଲାରେ ହାଇ କୋର୍ଟ ଜଜ୍‌ କିମ୍ବା ତାଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ କରାଯାଉ ବୋଲି ବିରୋଧୀମାନେ ଦାବି କରିଥିଲେ।

ପ୍ରଶ୍ନକାଳ ସମୟରେ କଂଗ୍ରେସ ସଦସ୍ୟମାନେ ରାଠୀଙ୍କ ହତ୍ୟା ଘଟଣା ପ୍ରସଙ୍ଗ ଗୃହରେ ଉଠାଇବା ସହ ରାଜ୍ୟର ଆଇନଶୃଙ୍ଖଳା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ସୂଚନା ଥାଉକି ସୋମବାର ହରିଆଣା ପୁଲିସ ରାଠୀଙ୍କ ହତ୍ୟା ଘଟଣାରେ ହରିଆଣାର ପୂର୍ବତନ ବିଧାୟକ ନରେଶ କୌସିକଙ୍କ ସମେତ ୧୧ ଜଣଙ୍କୁ ମାମଲାଭୁକ୍ତ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.