ମମତାଙ୍କୁ ସୁପ୍ରିମ କୋର୍ଟଙ୍କ ଝଟକା ପରେ ଦିଦି କହିଲେ'ଗଣତନ୍ତ୍ରରେ କେହି ନିଜକୁ ଦେଶର 'ବସ୍‌' (Boss) ଭାବିବା ଭୁଲ', ୨୦୧୯ ଆସିବେ ନାହିଁ ମୋଦି

Published By : Prameya-News7 Bureau | February 05, 2019 IST

ଦିଲ୍ଲୀ ୫/୨ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟ ବଡ ଝଟକା ଦେଇଛନ୍ତି | ଶାରଦା ଚିଟଫଣ୍ଡ ମାମଲାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ପାଖରେ ହାଜର ହେବାପାଇଁ ଆଦେଶ ଦେଇଛନ୍ତି | ତେବେ ରାଜୀବ କୁମାରଙ୍କୁ ଏବେ ଗିରଫ ଗିରଫ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି |


କୋର୍ଟଙ୍କ ନିର୍ଦେଶ ପରେ ମମତା କହିଥିଲେ ଯେ, ସେ କୋର୍ଟଙ୍କ ନିର୍ଦେଶକୁ ସ୍ୱାଗତ ଜଣାଉଛନ୍ତି | ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ତାଙ୍କର ନୈତିକ ବିଜୟ ବୋଲି କହିଥିଲେ ମମତା | ପୋଲିସ କମିଶନର ରାଜୀବ କୁମାର ସିବିଆଇ ପାଖରେ କେବେ ହାଜର ହେବେନାହିଁ ବୋଲି କହିନାହାନ୍ତି | ସେ ପଚରାଉଚୁରା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ମମତା | କିନ୍ତୁ ଏବେ ସେ କିଛି କହିପାରିବେ ନାହିଁ ବୋଲି କହିଥିଲେ ମମତା | ସେ ଆହୁରି କହିଥିଲେ ଯେ, ସେ ଯାହା ବି କରୁଛନ୍ତି ଦେଶର ଜନତାଙ୍କ ପାଇଁ କରୁଛନ୍ତି | ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର | ତେଣୁ କେହି ଏଠାରେ ନିଜକୁ ଦେଶର ବସ ବୋଲି ଭାବିବା ଭୁଲ । ଧାରଣା ପ୍ରତ୍ୟାହାର ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମମତା କହିଥିଲେ ଯେ, ସେ ନିଜ ନେତାମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ |


ଅଦାଲତ ଅବମାନନା ମାମଲାରେ କୋର୍ଟ ନୋଟିସ ଜାରି କରି କହିଥିଲେ ଯେ, ଡିଜିପି, କମିଶନର ଏବଂ ମୁଖ୍ୟ ଶାସନ ସଚିବ ନିଜ ନିଜ ଜବାବ କୋର୍ଟରେ ଦାଖଲ କରନ୍ତୁ |


ସୁପ୍ରିମକୋର୍ଟଙ୍କ ଆଦେଶ - କୋଲକାତା ପୋଲିସ କମିଶନର ରାଜୀବ କୁମାର ସିବିଆଇ ଯାଞ୍ଚରେ ସହଯୋଗ କରନ୍ତୁ | ପଚରାଉଚୁରା ପାଇଁ ହାଜିର ହୁଅନ୍ତୁ | ରାଜୀବ କୁମାରଙ୍କୁ ସିବିଆଇ ସିଲଂଗରେ ପଚରାଉଚୁରା କରିବ | ଅବମାନନା ଆବେଦନ ଉପରେ ମୁଖ୍ୟ ସଚିବ, ଡିଜିପି ଏବଂ ରାଜୀବ କୁମାରଙ୍କୁ ନୋଟିସ ଜାରି କରାଯାଇଛି | ଏହି ମାମଲାର ପରବର୍ତ୍ତି ଶୁଣାଣି ଫେବୃଆରୀ ୨୦ ତାରିଖରେ ହେବ | ଜବାବକୁ ତର୍ଜମା କରିବା ପରେ କୋର୍ଟ ନିଷ୍ପତ୍ତି ନେବେ ଯେ, ତାଙ୍କୁ ବ୍ୟକ୍ତିଗତ ଭାବେ ହଜାର ହେବା ପାଇଁ କୁହାଯିବ ନା ନାହିଁ |


ସୁପ୍ରିମକୋର୍ଟରେ ଶୁଣାଣି ବେଳେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଥିଲେ ଯେ, ଯାଞ୍ଚ ବେଳେ ପୋଲିସ କମିଶନର ସିବିଆଇକୁ ପୁରା ସହଯୋଗ କରିବେ | ରାଜୀବ କୁମାରଙ୍କୁ ସିବିଆଇ ପାଖରେ ହାଜର ହେବାକୁ ପଡିବ | କିନ୍ତୁ ରାଜୀବ କୁମାରଙ୍କୁ ଏବେ ଗିରଫ କରାଯାଇ ପାରିବ ନାହିଁ |


ଅପରପକ୍ଷରେ ମମତାଙ୍କ ଓକିଲ ଅଭିଷେକ ମନୁ ସିଂଘଭି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଲିର ଦୁଇ ଦିନ ପରେ ସିବିଆଇ ପୋଲିସ କମିଶନର ରାଜୀବ କୁମାରଙ୍କ ଘରେ ପହଞ୍ଚିଥିଲା | ସେ କହିଥିଲେ ଯାଞ୍ଚ କରିବା ବାହାନାରେ ସିବିଆଇ ପୋଲିସକୁ ହଇରାଣ କରୁଛି | ଡିଜିପି ଯାଞ୍ଚରେ ପୁରା ସହଯୋଗ କରିବେ ବୋଲି କହିଥିଲେ ତଥାପି ପୋଲିସ କମିଶନରଙ୍କୁ ସିବିଆଇ ହଇରାଣ ହରକତ କରିଛି | ରାଜୀବ କୁମାରଙ୍କ ବିରୋଧରେ କୌଣସି ଏଫଆଇଆର ଜାରି କରାଯାଇନାହିଁ ବୋଲି କହିଥିଲେ ମମତାଙ୍କ ଓକିଲ |


କୋର୍ଟରେ ପଚରାଉଚୁରା ବେଳେ ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ, ଏସଆଇଟି ସାରଦା ଚିଟଫଣ୍ଡର ମୁଖ୍ୟ ଅଭିଯୁକ୍ତ ସୁଦୀପ୍ତ ସେନର ଫୋନ ଏବଂ କମ୍ପ୍ୟୁଟରରୁ ସମସ୍ତ ଡାଟା ଡିଲିଟ କରିଛି | କାରଣ ରାଜୀବ କୁମାର ଆସାଇଟିର ମୁଖ୍ୟ ଥିଲେ | ଏପରିକି କଲ ଏବଂ ଡାଟା ରେକର୍ଡ ମଧ୍ୟ ଡିଲିଟ କରିବା ପାଇଁ ଚେଷ୍ଟା କରାଯାଇଛି |


ସିବିଆଇ ପୋଲିସ କମିଶନର ରାଜୀବ କୁମାରଙ୍କ ବିରୋଧରେ ପ୍ରମାଣ ଏକାଠି କରିଛି |


ସିବିଆଇ ସୁପ୍ରିମକୋର୍ଟରେ କହିଛି ଯେ, ଚିଟଫଣ୍ଡ ମାମଲାରେ ରାଜୀବ କୁମାରଙ୍କ ଭୂମିକାର ଯାଞ୍ଚ ଚାଲିଛି | ଯେଉଁ ସବୁ କମ୍ପାନୀ ଟିଏମସିକୁ ଚାନ୍ଦା ଦେଇଥିଲେ, ଏସଆଇଟି ସେହି ସବୁ କମ୍ପାନୀଗୁଡିକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଛି | ଯାଞ୍ଚ ପାଇଁ ସିବିଆଇକୁ ଯେଉଁ ଦସ୍ତାବେଜ ଦିଆଯାଇଛି ତାହା ଅସମ୍ପୂର୍ଣ୍ଣ ଅଛି ବୋଲି କହିଥିଲା ସିବିଆଇ |


ସିବିଆଇ ଏବଂ ମମତା ବିବାଦକୁ ନେଇ ଅରୁଣ ଜେଟଲୀ ନିଜ ଫେସବୁକ ପେଜରେ ଲେଖିଛନ୍ତି ଯେ, ସବୁଠାରୁ ମହତ୍ଵପୂର୍ଣ୍ଣ କଥା ହେଲା Kleptocrat's Club ଦେଶରେ କବଜା କରିବା ପାଇଁ ଷଡଯନ୍ତ୍ର କରୁଛି | ସବୁଠାରୁ ମହତ୍ଵପୂର୍ଣ୍ଣ କଥା ହେଲା ଯେଉଁମାନେ ପଶ୍ଚିମବଙ୍ଗରେ ଚାଲୁଥିବା ଧାରଣାକୁ ସମର୍ଥନ କରୁଛନ୍ତି ସେମାନଙ୍କ ଉପରେ ମଧ୍ୟ ଗମ୍ଭୀର ଅଭିଯୋଗ ହୋଇଛି | ନ୍ୟୁ ଇଣ୍ଡିଆକୁ କଣ Kleptocrat's Club ଶାସନ କରିବ କି ବୋଲି ପ୍ରଶ୍ନ କରିଛନ୍ତି ଅରୁଣ ଜେଟଲୀ |


କ'ଣ ଏହି Kleptocrat's Club ?
ସ୍ୱାର୍ଥ ପାଇଁ ବିପରୀତ ବିଚାରଧାରା ରଖୁଥିବା ଲୋକଙ୍କୁ ସହଯୋଗ କରିବା ହେଉଛି Kleptocrat's Club ର କାମ |

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ମମତାଙ୍କ ସହ ମଂଚ ସମ୍ଭାଳି ପାରନ୍ତି ବୋଲି ଶୁଣିବାକୁ ମିଳୁଛି | ନାଇଡୁ କହିଛନ୍ତି ଯେ, ଯିଏ ଯେଭଳି କରିବା ତାକୁ ତାର ପରିଣାମ ଭିଜିବାକୁ ପଡିବ | ସେ ଆହୁରି କହିଛନ୍ତି ଯେ, ଯଦି ସିବିଆଇ ଆନ୍ଧ୍ରକୁ ଆସେ ତାହେଲେ ମୁଁ ବି ସେୟା କରିବି ଯାହା ମମତା କରିଛନ୍ତି | ଦେଶର ଗଣତନ୍ତ୍ର ରକ୍ଷା କରିବା ପାଇଁ ଏବଂ ସେମାନେ ସମସ୍ତେ ଏକଜୁଟ ହୋଇଛନ୍ତି ବୋଲି କହିଛନ୍ତି ନାଇଡୁ | ନିର୍ବାଚନର ମାସେ ପୂର୍ବରୁ ସିବିଆଇ ପୋଲିସକୁ ହଇରାଣ ହରକତ କରିଛି | ଏହା ଗଣତନ୍ତ୍ରର ବିରୁଦ୍ଧ ବୋଲି କହିଛନ୍ତି ନାଇଡୁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.