ନବଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି, ହାଇକୋର୍ଟରେ ଦାୟର ହେଲା ମାମଲା
6/02/2023 at 2:37 PM

କଟକ ୦୬/୦୨: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟା ଘଟଣାର ୮ଦିନ ବିତିଗଲାଣି । ହେଲେ ଏବେ ବି ରହସ୍ୟ ଉପରୁ ହଟିପାରୁନି ପର୍ଦ୍ଦା । ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚ ଆଉ ଏକ ୬ ଜଣିଆ ଟିମ୍ ଗଠନ କରିଛି ।
ଡିଏସ୍ପି ଆରତିଙ୍କ ନେତୃତ୍ୱରେ ସେହି ଟିମ୍ ରବିବାର ଝାରସୁଗୁଡ଼ା ଅଭିମୁଖେ ଯାଇଛନ୍ତି । ଟିମ୍କୁ ମିଶାଇ ନବଙ୍କ ହତ୍ୟା ମାମଲାରେ ତଦନ୍ତକାରୀ ଟିମ୍ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଘଟଣାର ଜାରି ରହିଛି ଇନଭେଷ୍ଟିଗେସନ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ କ୍ରାଇମବ୍ରାଞ୍ଚକୁ ଉକ୍ତ ହତ୍ୟାକାଣ୍ଡର କାରଣ ସମ୍ପର୍କରେ ଅନେକ କିଛି ଗୋପନୀୟ ତଥ୍ୟ ମିଳିବ ବୋଲି କ୍ରାଇମବ୍ରାଞ୍ଚ ଆଶାବାଦୀ ରହିଛି । ଏଥିଲାଗି ଜେରା ସମୟରେ ଗୋପାଳର ବୟାନ ଆଧାରରେ କ୍ରାଇମବ୍ରାଞ୍ଚ ଅନେକ ତଥ୍ୟ, ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି ।
ସେପଟେ ଘଟଣାକୁ ଏତେଦିନ ବିତିଗଲେ ବି ପୋଲିସ୍କୁ ସୁରାକ୍ ମିଳିନଥିବାରୁ ସିବିଆଇ ତଦନ୍ତ ଦାବି ହୋଇଛି । ଏନେଇ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର ହୋଇଛି ।