ମମତାଙ୍କ ଖାସ୍‌ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ସିବିଆଇ ସମନ୍‌, ଜାଣନ୍ତୁ କଣ ରହିଛି ମାମଲା

Published By : Prameya-News7 Bureau | March 12, 2021 IST

କୋଲକାତା, ୧୨/୦୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖ ନେତା ତଥା ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ସିବିଆଇ ସମନ୍ ପଠାଇଛି । ଆଇକୋର୍‌ ଚିଟ୍‌ଫଣ୍ଡ ମାମଲାରେ ପଚରାଉଚରା ପାଇଁ ସିବିଆଇ ଏହି ସମନ୍‌ ପଠାଇଥିବା ଜଣାପଡ଼ିଛି । ସିବିଆଇର ଆର୍ଥିକ ଅପରାଧ ଶାଖା ପାର୍ଥଙ୍କୁ ୧୫ ମାର୍ଚ୍ଚରେ କୋଲକାତା ଏଜେନ୍ସି ସାମ୍ନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପାର୍ଥ ଚାଟାର୍ଜୀଙ୍କୁ ଚିଟ୍‌ଫଣ୍ଡ୍‌ ସଂସ୍ଥା ଆଇକୋର ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା । ବଙ୍ଗର ସଂସଦୀୟ କାର୍ଯ୍ୟ ଏବଂ ଶିକ୍ଷାମନ୍ତ୍ରୀର ଦାୟିତ୍ୱ ତୁଲାଉଥିବା ପାର୍ଥ ଏନେଇ କହିଛନ୍ତି ଯେ, ଏବେ ପର୍ଯ୍ୟନ୍ତ ତାଙ୍କୁ କୌଣସି ସମନ୍‌ ମିଳିନାହିଁ । ଯଦି ତାଙ୍କୁ ଏଜେନ୍ସିରୁ ଡକରା ଆସୁଛି ତେବେ ସେ ଏଥିରେ ନିଶ୍ଚୟ ହାଜର ହେବେ । ସେ ମନ୍ତ୍ରୀ ହୋଇଥିବାରୁ ଯେକୌଣସି ସଭାକୁ ସେ ଯାଇପାରନ୍ତି ବୋଲି କହିଛନ୍ତି ।

ଆଧିକାରୀକ ସ୍ତରରୁ ଜଣାପଡ଼ିଛି ଯେ, ସିବିଆଇ ନିବେଶ ଉପରେ ଅଧିକ ରିଟର୍ଣ୍ଣ ଦେବାକୁ କହି ଲୋକଙ୍କୁ ଠକି ପାଖାପାଖି ୩ ହଜାର କୋଟି ଟଙ୍କା ସଂଗ୍ରହ କରିଥିବା ଆଇକୋର ଗ୍ରୁପ୍ ବିରୋଧରେ ମାମଲା ଦାଏର୍‌ କରିଥିଲା ।

ଗ୍ରୁପ୍‌ ଖୋଲି ଟଙ୍କା ଏକତ୍ର କରିବା ଏବଂ ଏହାକୁ ବିଭିନ୍ନ ସ୍ଥାନରେ ଲଗାଇ ଲାଭ ସହିତ ଲୋକଙ୍କୁ ଫେରାଇବା ବୋଲି ପ୍ରତିଶୃତି ଦେଇଥିଲା । ଯାହାକୁ କି ପରେ କମ୍ପାନୀ ଠକି ନିବେଶକାରୀଙ୍କୁ ଟଙ୍କା ଫେରାଇ ନଥିଲା । ଯାଞ୍ଚ ଏଜେନ୍ସି ୨୦୧୪ରେ ଏ ନେଇ କମ୍ପାନୀ ବିରୋଧରେ ଆପରାଧିକ କାର୍ଯ୍ୟକଳାପ ଏବଂ ଠକାମୀ କରିଥିବା ମାମଲା ଦାଏର୍‌ କରିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.