ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ବିଜୟ ନାୟର, ଅଭିଷେକ ବୋଇନପଲ୍ଲୀ ଏବଂ ଅନ୍ୟ ପାଞ୍ଚ ଜଣଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । କେନ୍ଦ୍ରୀୟ ଏଜେନ୍ସି ରାଉଜ ଏଭେନ୍ୟୁ କୋର୍ଟରେ ସିବିସିଆଇର ସ୍ୱତନ୍ତ୍ର ଜଜ୍ ଏମକେ ନାଗପାଲଙ୍କ ନିକଟରେ ଏହି ଅଭିଯୋଗ ପତ୍ର ଦାଖଲ କରିଛି। ଗୋଟିଏ ଦିନ ପୂର୍ବେ ଦିଲ୍ଲୀ ହାଇକୋର୍ଟ ନୂଆ ଅବକାରୀ ନୀତି ୨୦୨୧-୨୨ ସହ ଜଡିତ ଦୁର୍ନୀତି ମାମଲାରେ ବିଜୟ ନାୟର ଏବଂ ଅଭିଷେକ ବୋଇନପଲ୍ଲୀଙ୍କ ଜାମିନକୁ ଚ୍ୟାଲେଞ୍ଜ କରୁଥିବା ଏକ ଯାଚିକାରେ ଜବାବ ତଲବ କରିଥିଲେ ।
ସୂଚନା ଅନୁସାରେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସାତ ଜଣ ଅଭିଯୁକ୍ତଙ୍କ ବିରୋଧରେ ଶୁକ୍ରବାର ନିଜର ଚାର୍ଜସିଟ୍ ଦାଖଲ କରିଛି । ସିବିଆଇର ଚାର୍ଜସିଟରେ ଦୁଇ ଗିରଫ ବ୍ୟବସାୟୀ, ଜଣେ ସମାଚାର ଚ୍ୟାନେଲ ମୁଖ୍ୟ, ହାଇଦ୍ରାବାଦର ଜଣେ ମଦ ବ୍ୟବସାୟୀ, ଦିଲ୍ଲୀର ଜଣେ ମଦ ବିତରକ ଏବଂ ଅବକାରୀ ବିଭାଗର ଦୁଇ ଅଧିକାରୀ ସାମିଲ ଅଛନ୍ତି । ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟଙ୍କ ବିରୋଧରେ ଏଜେନ୍ସି ତଦନ୍ତ ଜାରି ରଖିଥିବା ଅଧିକାରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଆମ ଆଦମୀ ପାର୍ଟିର ନେତା ନାୟର ଏବଂ ବ୍ୟବସାୟୀ ବୋଇନପଲ୍ଲୀଙ୍କୁ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଟ୍ରିଂ ମାମଲାରେ ଇଡି ଗିରଫ କରିଥିଲା । ଦୁହେଁ ଏବେ ବି ହେପାଜତରେ ଅଛନ୍ତି । ଗୁରୁବାର ମାମଲାର ଶୁଣାଣି ସମୟରେ ବିଚାରପତି ଯୋଗେଶ ଖନ୍ନା ପଚରାଥିଲେ ଯେ ଅଭିଯୁକ୍ତ ପୂର୍ବରୁ ହେପାଜତରେ ଅଛି । ଆପଣ(ସିବିଆଇ) ଏହି ଆଦେଶ ଉପରେ କାହିଁକି ରୋକ ଲଗାଇବାକୁ ଚାହୁଁଛ ? ଶୁକ୍ରବାର ସିବିଆଇ ୧୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଆସନ୍ତା ନଭେମ୍ୱର ୩୦ରେ ରାଉଜ ଏଭେଏନ୍ୟୁ କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।