ନିଯୁକ୍ତି ବଦଳରେ ଜମି ମାମଲା: ଚୂଡ଼ାନ୍ତ ଚାର୍ଜସିଟ୍‌ ଦାଖଲ କଲା ସିବିଆଇ, ୭୭ ଜଣ ସାମିଲ୍

Published By : Prameya-News7 Bureau | June 07, 2024 IST

NDTV

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସରିବା ପରେ ସିବିଆଇ ତା’ର କାର୍ଯ୍ୟାନୁଷ୍ଠାନ ପୁଣି ଆରମ୍ଭ କରିଦେଇଛି। ନିଯୁକ୍ତି ବଦଳରେ ଜମି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଫାଇନାଲ୍ ଚାର୍ଜଶିଟ୍ ଦାଖଲ କରିଛି।

ଅଭିଯୋଗ ଅନୁସାରେ, ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ବେଳେ ସେ ଯୁବକମାନଙ୍କୁ ସରକାରୀ ଚାକିରି ଦେବା ନାଁରେ ତାଙ୍କ ଜମିଗୁଡ଼ିକୁ ଶାଗମାଛ ଦରରେ କିଣି ନେଇଥିଲେ। ଏହି ମାମଲାରେ ଲାଲୁ ଯାଦବଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଏଥିରେ ସିବିଆଇ ୩୮ ଜଣ ନିଯୁକ୍ତି ଆଶାୟୀଙ୍କ ସହିତ ଅନ୍ୟମାନଙ୍କୁ ମିଶାଇ ମୋଟ ୭୭ ଜଣଙ୍କୁ ଚାର୍ଜଶିଟ୍‌ରେ ସାମିଲ୍ କରିଛି। ତେବେ କୋର୍ଟ ଜୁଲାଇ ୬ ତାରିଖରେ ସିବିଆଇ ଚାର୍ଜସିଟର ଶୁଣାଣି କରିବେ। 

କ’ଣ ଏହି ଜମି ବଦଳରେ ଚାକିରି ମାମଲା ? 

ବାସ୍ତବରେ, ଜମି ବଦଳରେ ଚାକିରି ମାମଲାରେ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଯାଦବଙ୍କ ପତ୍ନୀ, ପୁଅ ଏବଂ ଝିଅଙ୍କ ସମେତ ଅନେକ ସହଯୋଗୀଙ୍କ ନାଁରେ ଅଭିଯୋଗ ରହିଛି। ଏହି ମାମଲାରେ ଲାଲୁ ଯାଦବଙ୍କ ପତ୍ନୀ ରାବିଡ଼ି ଦେବୀ, ପୁଅ ତେଜସ୍ୱୀ ଯାଦବ, ଝିଅ ମିସା ଭାରତୀ ଏବଂ ହେମା ଯାଦବ ମଧ୍ୟ ଅଭିଯୁକ୍ତ ରହିଛନ୍ତି। ସିବିଆଇ ଏବଂ ଇଡି ମିଳିତ ଭାବେ ଏହି ମାମଲାର ତଦନ୍ତ କରୁଛନ୍ତି।

ୟୁପିଏ ପ୍ରଥମ ସରକାରରେ ୨୦୦୪ ରୁ ୨୦୦୯ ମଧ୍ୟରେ ଲାଲୁ ଯାଦବ କେନ୍ଦ୍ର ରେଳ ମନ୍ତ୍ରୀ ଥିଲେ। ସେହି ସମୟ ମଧ୍ୟରେ ଭାରତୀୟ ରେଳବାଇରେ ଗ୍ରୁପ୍-ଡି ପଦବୀରେ ନିଯୁକ୍ତି ପାଇଁ ଦୁର୍ନୀତି କରାଯାଇଥିଲା। ସିବିଆଇ ଏଫ୍ଆଇଆର୍ ଏବଂ ଚାର୍ଜସିଟ୍ ଅନୁଯାୟୀ ରେଳବାଇରେ ଚାକିରି ବଦଳରେ ପ୍ରାର୍ଥୀଙ୍କୁ ଲାଞ୍ଚ ଭାବରେ ଜମି ହସ୍ତାନ୍ତର କରିବାକୁ କୁହାଯାଇଥିଲା। ଏମିତିକି ସହର ପାଖ ଜମି, ରାସ୍ତା ପାଖିଆ ବହୁ ମୂଲ୍ୟବାନ ଜମିକୁ ଅଳ୍ପ ଦରରେ କିଣି ନେଇଥିଲେ ଲାଲୁ ଯାଦବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.