୫ ବର୍ଷରେ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ସିବିଆଇ ଦାଖଲ କରିଛି ୫୬ ମାମଲା: ସରକାର
9/12/2022 at 10:45 AM

ନୂଆଦିଲ୍ଲୀ, ୯/୧୨: ଗତ ୫ ବର୍ଷ ମଧ୍ୟରେ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ସିବିଆଇ ଦାଖଲ କରିଛି ୫୬ ମାମଲା। ଏହାସହ ୨୨ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ବୁଧବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଜନ ଅଭିଯୋଗ ଏବଂ ପେନସନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ତଥ୍ୟ ଅନୁଯାୟୀ, ୨୦୧୭ ରୁ ୨୦୨୨ ମଧ୍ୟରେ ୧୦ ମାମଲା ଆନ୍ଧ୍ରପ୍ରଦେଶରେ ହୋଇଛି। ଯାହାକି ଏହି ସମୟ ମଧ୍ୟରେ ସର୍ବାଧିକ।
ଏହା ତଳକୁ ଏହି ଅବଧି ମଧ୍ୟରେ ଉତ୍ତରପ୍ରଦେଶ ଏବଂ କେରଳରୁ ୬ ମାମଲା, ପଶ୍ଚିମବଙ୍ଗରୁ ୫ ଏବଂ ଅରୁଣାଚଳ ପ୍ରଦେଶରୁ ୫ ମାମଲା, ତାମିଲନାଡୁରୁ ୪, ମଣିପୁର, ଦିଲ୍ଲୀ ଏବଂ ବିହାରରୁ ୩ ଟି ଲେଖାଏଁ ମାମଲା, ଜମ୍ମୁ-କାଶ୍ମୀରରୁ ୨ ଏବଂ ହରିୟାଣା, ଛତିଶଗଡ଼, ମେଘାଳୟ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଲାକ୍ଷାଦ୍ବୀପ ରୁ ଗୋଟିଏ ଲେଖାଏଁ ମାମଲା ସାମ୍ନାକୁ ଆସିଛି।
ସେହିଭଳି ଦୋଷ ପ୍ରମାଣିତ ହେବା ମାମଲାରେ ଗତ ପାଞ୍ଚ ବର୍ଷରେ, ୨୦୧୭ ରେ ୬୬.୯୦ ପ୍ରତିଶତ ରୁ ୨୦୨୧ରେ ୬୭.୫୬ ପ୍ରତିଶତ ରହିଥିଲା। ୨୦୨୦ ରେ ସର୍ବାଧିକ ୬୯.୮୩ ପ୍ରତିଶତ ରହିଥିଲା। ଯାହାକି ପାଞ୍ଚ ବର୍ଷ ମଧ୍ୟରେ ସବୁଠୁ ଅଧିକ ଥିଲା।
ସିବିଆଇ ଦାଖଲ କରିଥିବା ମାମଲା ମଧ୍ୟରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଓ୍ବାଇଏସଆର କଂଗ୍ରେସ ପାର୍ଟୀ, ଆପ୍, ଆରଜେଡି, ବିଜେପି, ସମାଜବାଦୀ ପାର୍ଟୀ, ଏଆଇଏଡିଏମକେ, ଜନ ସେନା ପାର୍ଟୀ ଏବଂ ଏନସିପି ର ବିଧାୟକ ତଥା ଏମପି ରହିଛନ୍ତି।