ନିଠାରୀ କାଣ୍ଡ : ସୁରିନ୍ଦର କୋଲିକୁ CBI କୋର୍ଟଙ୍କ ମୃତ୍ୟୁଦଣ୍ଡାଦେଶ, ମନିନ୍ଦର ସିଂହ ପାନ୍ଧେରକୁ ୭ ବର୍ଷ ଜେଲଦଣ୍ଡ
19/05/2022 at 7:20 PM

ନୋଏଡା ୧୯।୫: ସିବିଆଇ କୋର୍ଟ ଗୁରୁବାର ନିଠାରୀ କାଣ୍ଡର ଦୁଇ ଦୋଷୀଙ୍କ ଦଣ୍ଡ ଘୋଷଣା କରିଛନ୍ତି। ମାମଲାର ମୁଖ୍ୟ ଅଭିଯୁକ୍ତ ସୁରିନ୍ଦର କୋଲିକୁ ଭାରତୀୟ ଦଣ୍ଡବିଧି ଆଇନର (ଆଇପିସି)ର ଧାରା ୩୬୪ ଅନୁସାରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଜାବଜ୍ଜୀବନ କାରାଦଣ୍ଡାଦେଶ ଓ ଆଇପିସିର ଧାରା ୩୦୨ ଅନୁସାରେ ମୃତ୍ୟୁଦଣ୍ଡାଦେଶ ହୋଇଛି। ସେହିପରି ଅନ୍ୟତମ ଦୋଷୀ ମନିନ୍ଦର ସିଂହ ପାନ୍ଧେରକୁ ଅନୈତିକ ବ୍ୟାପାର (ନିୟନ୍ତ୍ରଣ) ଅଧିନିୟମ ଧାରା ୫ ଅନୁସାରେ ୭ ବର୍ଷ ଜେଲଦଣ୍ଡାଦେଶ କରାଯାଇଛି।

ସେହିପରି କୋର୍ଟ କୋଲି ଉପରେ ୪୦ ହଜାର ଓ ପାନ୍ଧେରକୁ ୪ ହଜାର ଟଙ୍କାର ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି। ଉଲ୍ଲେଖ ଯୋଗ୍ୟଯେ ଏହା ପୂର୍ବରୁ କୋର୍ଟ ପାନ୍ଧେରକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରୁ ମୁକ୍ତ କରିଦେଇଛନ୍ତି। ତେବେ ଏହି କାଣ୍ଡର ମୁଖ୍ୟ ଅଭିଯୁକ୍ତ କୋଲିକୁ ୧୩ଟି ମାମଲାରେ ମୃତ୍ୟୁଦଣ୍ଡାଦେଶ ମିଳିଛି। ଏଥିରେ ୩ଟି ମାମଲାରେ ସାକ୍ଷ ଓ ପ୍ରମାଣ ଅଭାବରୁ କୋର୍ଟ ତାକୁ ନିର୍ଦ୍ଦୋଷରେ ମୁକ୍ତ ମଧ୍ୟ କରିଛନ୍ତି। ସେତେବେଳେ କେବଳ ଗୋଟିଏ ମାମଲାରେ ରାଷ୍ଟ୍ରପତିଙ୍କ ଦ୍ୱାରା ଦୟା ନିବେଦନ ଅଗ୍ରାହ୍ୟ ହେବା ପରେ ମିରଟରେ ଫାଶୀ ଦିଆଯିବାର ଥିଲା। ହେଲେଏଥିରେ ବିଳମ୍ବ ହେବା ଯୋଗୁ ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡକୁ ଖାରଜ କରି ଆଜୀବନ କାରାଣ୍ଡରେ ପରିବର୍ତ୍ତିତ କରିଥିବା ବେଳେ ହାଇକୋର୍ଟ ମଧ୍ୟ ଗୋଟିଏ ମାମଲାରେ ତାର ଫାଶୀଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ରୂପାନ୍ତରିତ କରିଛନ୍ତି। ତେବେ ସିବିଆଇ କୋର୍ଟ ପୁଣି ମୃତ୍ୟୁଦଣ୍ଡାଦେଶ କରିଥିବା ବେଳେ କୋଲି ଓ ପାନ୍ଧେରଙ୍କ ଅଧିକାଂଶ ମାମଲା ଏବେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି।

ଜାଣନ୍ତୁ କ’ଣ ଥିଲା ନିଠାରୀ ମାମଲା
୨୦୦୬ ମସିହା ଡିସେମ୍ବର ୨୯ରେ ଜାତୀୟ ରାଜଧାନୀ ଦିଲ୍ଲୀ ସଲଗ୍ନ ଉତ୍ତରପ୍ରଦେଶ ଗୌତମ ବୁଦ୍ଧ ନଗରରେ ନୋଏଡାର ନିଠାରୀ କେସ୍ ଉପରୁ ପର୍ଦ୍ଦା ହଟିଥିଲା। ସେ ସମୟରେ ସାରା ଦେଶରେ ନିଷ୍ଠୁର ମାମଲାର ଚର୍ଚ୍ଚା ଜୋର ଧରିଥିଲା। ନୋଏଡାର ନିଠାରୀ ଗାଁର କୋଠି ନମ୍ବର ଡି-୫ରେ ୧୯ ଶିଶୁ ଓ ମହିଳାଙ୍କ କଙ୍କାଳ ମିଳିଥିଲା। ଏହି ସବୁ ଶରୀର ଅବଶେଷକୁ ୪୦ଟି ପ୍ୟାକେଟରେ ଭରି ନାଳରେ ଭସାଇ ଦିଆଯାଇଥିଲା। ପରେ ପୋଲିସ ମାମଲାରେ ବ୍ୟବସାୟୀ ମନିନ୍ଦର ସିଂହ ପାନ୍ଧେର ଓ ତାର ଚାକର ସୁରିନ୍ଦର କୋଲିକୁ ଗିରଫ କରିଥିଲା।
ପରେ ମାମଲାର ତଦନ୍ତ ସିବିଆଇକୁ ଦିଆଯାଇଥିବା ବେଳେ ସୁରିନ୍ଦର କୋଲି ଉତ୍ତରାଖଣ୍ଡର ହୋଇଥିବା ବେଳେ ବ୍ୟବସାୟୀ ମନିନ୍ଦର ସିଂହ ପାନ୍ଧେରଙ୍କ ଘରେ କାମ କରୁଥିଲା। ୨୦୦୪ ମସିହାରେ ପାନ୍ଧେରଙ୍କ ପରିବାର ପଞ୍ଜାବ ଚାଲିଯିବା ପରେ ପାନ୍ଧେର ଓ ତାଙ୍କ ଚାକର ସୁରିନ୍ଦର କୋଲି ଘରେ ରହୁଥିଲେ। ସେତେବେଳେ ଉଭୟ ମହିଳା ଓ ଶିଶୁଙ୍କୁ ସେମାନଙ୍କ ଶିକାର ବନେଇଥିଲେ। ସେତେବେଳେ ନିଠାରୀ କାଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।