ବଢ଼ିଲା ମହୁଆ ମୋଇତ୍ରଙ୍କ ଅଡ଼ୁଆ: ଟଙ୍କା ନେଇ ପ୍ରଶ୍ନ ଅଭିଯୋଗରେ ସିବିଆଇ ତଦନ୍ତ ଆରମ୍ଭ

Published By : Prameya-News7 Bureau | November 25, 2023 IST

ନୂଆଦିଲ୍ଲୀ: ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରଙ୍କ ଅଡ଼ୁଆ ବଢ଼ିଛି। ଟଙ୍କା ନେଇ ପ୍ରଶ୍ନ ଅଭିଯୋଗରେ ଶନିବାର(୨୫ ନଭେମ୍ବର) ସିବିଆଇ ପ୍ରାଥମିକ ତଦନ୍ତ(ପିଇ) ରୁଜୁ କରିଛି। ଅର୍ଥାତ୍ ଆଜି ଠାରୁ ତଦନ୍ତ ଆରମ୍ଭ ହୋଇଛି। ଲୋକପାଳଙ୍କ ନିର୍ଦ୍ଦେଶରେ ସିବିଆଇ ପିଇ ରୁଜୁ କରିଛି ବୋଲି ସୂଚନା ମିଳିଛି।   

ବିଜେପି ଶାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗକୁ ଭିତ୍ତି କରି ସିବିଆଇ ତଦନ୍ତ ଆରମ୍ଭ କରିଛି। ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଟଙ୍କା ନେଇ ମହୁଆ ସଂସଦରେ ଆଦାନୀଙ୍କ ବିରୋଧରେ ପ୍ରଶ୍ନ କରୁଥିଲେ। ଆଦାନୀଙ୍କ ଛବି ମଳିନ କରିବାକୁ ଚାହୁଁଥିଲେ ବୋଲି ନିଶିକାନ୍ତ ଅଭିଯୋଗ କରିଛନ୍ତି।

ସିବିଆଇ ତଦନ୍ତ ନେଇ ନିଶିକାନ୍ତ ପୂର୍ବରୁ ସୂଚନା ଦେଇଥିଲେ। ଲୋକପାଳ ନଭେମ୍ବର ୧୮ ତାରିଖରେ ମାମଲାରେ ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ନିଶିକାନ୍ତ ସୂଚନା ଦେଇଥିଲେ। ଆଜି ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି।

ପଢ଼ନ୍ତୁ-ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲା: ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ସୂଚନା ଥାଉକି ଦର୍ଶନ ହୀରାନନ୍ଦାନୀ ଆଦାନୀ ବିରୋଧରେ ପ୍ରଶ୍ନ କରିବାକୁ ମହୁଆଙ୍କୁ ଟଙ୍କା ଦେବା ସହ ଦାମି ଦାମି ଉପହାର ମଧ୍ୟ ଦେଇଥିଲେ ବୋଲି ନିଶିକାନ୍ତ ଅଭିଯୋଗ କରିଥିଲେ। ଏନେଇ ସେ ପ୍ରଥମେ ଲୋକସଭା ସ୍ପିକର ଓ ଲୋକସଭା ଏଥିକ୍ସ କମିଟି ଦ୍ୱାରସ୍ଥ ହୋଇଥିଲେ। ଲୋକସଭା ଏଥିକ୍ସ କମିଟି ଏନେଇ ତଦନ୍ତ କରିବା ପରେ ମହୁଆଙ୍କ ସଦସ୍ୟ ରଦ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ।

ଏସବୁ ମାମଲାର ଖୁଲାସା କରିଥିଲେ ମହୁଆଙ୍କ ବନ୍ଧୁ ତଥା ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହଦ୍ରାଇ। ମହୁଆଙ୍କ ସହ ତାଙ୍କର ସମ୍ପର୍କ ତିକ୍ତ ହେବା ପରେ ସେ ତାଙ୍କର ସମସ୍ତ ଗୁମର ବିଜେପି ସାଂସଦଙ୍କ ସମ୍ମୁଖରେ ଖୋଲି ଦେଇଥିଲେ। ଏହାପରେ ନିଶିକାନ୍ତ ଏହାକୁ ନେଇ ଅଭିଯୋଗ କରିଥିଲେ।

ମହୁଆ ମୋଇତ୍ର ତାଙ୍କ ସାଂସଦ ଆଇଡିକୁ ମଧ୍ୟ ହୀରା ନନ୍ଦାନୀଙ୍କୁ ଦେଇଥିଲେ। ଯାହା ଭାରତ ସମେତ ଆମେରିକା ଓ ଦୁବାଇରେ ବି ଖୋଲାଯାଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.