ପଶ୍ଚିମବଙ୍ଗର ବୀରଭୂମ ହିଂସାକାଣ୍ଡ ଘଟଣାରେ ଆଉ ୭ ଜଣଙ୍କୁ ଗିରଫ କଲା ସିବିଆଇ
23/08/2022 at 11:05 PM

କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ହିଂସାକାଣ୍ଡ ଘଟଣାରେ ସିବିଆଇ ଆଜି ଆଉ ୭ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ- ବିକ୍ରି ଅଲ୍ଲୀ, ନୁର ଅଲ୍ଲୀ, ଶେର ଆଲ୍ଲୀର ସହଯୋଗୀ କାଲୋ, ଅସିଫ୍ ଶେଖ୍, ଜୋଶୀ ହୋସେନ୍, ଜମିରୁଲ ଶେଖର ସହଯୋଗୀ ଉଜୀର ଏବଂ ଖଇରୁଲ ଶେଖ୍।
ମଙ୍ଗଳବାର ସମସ୍ତ ଅପରାଧିଙ୍କୁ ରାମପୁରହାଟ କୋର୍ଟକୁ ଚାଲାଣ କରାଯିବ। ଏହି ଘଟଣାରେ ସିବିଆଇ ବର୍ତ୍ତମାନ ପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କଲାଣି। ବୀରଭୁମ ହିଂସାକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲେ। ମୃତକଙ୍କ ମଧ୍ୟରେ ୬ ମହିଳା ଏବଂ ଦୁଇ ଜଣ ପିଲା ନିଆଁରେ ଜଳି ମୃତ୍ୟୁ ହୋଇଥିଲା।
ମାର୍ଚ୍ଚ ୨୧ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ଦୁର୍ବୃତ୍ତମାନେ ବୀରଭୂମର ବୋଗତୁଇ ଗାଁର ୧୦ ଘରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ୮ ଜଣ ଜୀବନ୍ତ ଜଳିଯାଇଥିଲେ। ଯେଉଁଥିରେ ମହିଳା ଓ ଛୋଟ ପିଲାମାନେ ବି ଥିଲେ। ଟିଏମ୍ସି ନେତା ଭାଦୁ ଶେଖ୍ଙ୍କ ହତ୍ୟାଘଟଣାରେ ପ୍ରତିଶୋଧ ନେଇ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଥିଲେ।
ଏହାପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାର୍ଚ୍ଚ ୨୫ ତାରିଖରେ ମାମଲା ରୁଜୁ କରିଥିଲା ସିବିଆଇ। ମାମଲା ରାଜନୈତିକ ରୂପ ନେବାରୁ ଏହାକୁ ଗୁରୁତର ସହ ନେଇଥିଲେ କଲିକତା ହାଇକୋର୍ଟ। ତଦନ୍ତଭାର ସିଧା ସିବିଆଇ ହାତକୁ ଯାଇଥିଲା। ହେଲେ ମାମଲା ରାଜ୍ୟ ପୁଲିସ ପାଖରେ ରଖିବାକୁ କୋର୍ଟରେ ଆବେଦନ କରିଥିଲେ ମମତା। କିନ୍ତୁ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ପଶ୍ଚିମବଙ୍ଗ ସରକାର ଏ ମାମଲାରେ କୌଣସି ତଦନ୍ତ ନ କରନ୍ତୁ। ମାମଲାକୁ ସିଧା ସିବିଆଇ ହାତକୁ ଦିଅନ୍ତୁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।