୯ ଆୟକର ଅଧିକାରୀଙ୍କୁ ଗିରଫ କଲା ସିବିଆଇ, ପରୀକ୍ଷା ନଦେଇ କରିଥିଲେ ଚାକିରି
15/12/2022 at 6:56 PM

ନୂଆଦିଲ୍ଲୀ, ୧୫/୧୨: ପରୀକ୍ଷା ନଦେଇ ଚାକିରି କରିଥିବା ଅଭିଯୋଗରେ ୯ ଆୟକର ଅଧିକାରୀଙ୍କୁ ଗିରଫ କରିଛି ସିବିଆଇ। ଷ୍ଟାଫ୍ ସିଲେକ୍ସନ କମିଶନ ଦ୍ବାରା ଆୟୋଜିତ ପରୀକ୍ଷା ନଦେଇ ଆୟକର ବିଭାଗରେ ଯୋଗ ଦେଇଥବା ଅଭିଯୋଗରେ ମହାରାଷ୍ଟ୍ର ନାଗପୁରରେ ସିବିଆଇ ୯ ଜଣ ଇନକମ୍ ଟ୍ୟାକ୍ସ ଅଧିକାରୀଙ୍କୁ ଗିରଫ କରିଛି। ସୋମବାର ସିବିଆଇ ଏହି ଅଧିକାରୀଙ୍କୁ ଗିରଫ କରିଥିଲା।
ସୂଚନା ଅନୁଯାୟୀ, ୨୦୧୮ ରେ ଏକ ମାମଲା ରୁଜୁ ହୋଇଥିଲା ଯେଉଁଥିରେ ଜଣାପଡ଼ିଥିଲା ଯେ କିଛି କର୍ମଚାରୀ ଏବଂ ଅଧିକାରୀ ଆଇଟି ଡିପାର୍ଟମେଣ୍ଟରେ ବିନା ପରୀକ୍ଷା ଦେଇ ଯୋଗ ଦେଇଥିଲେ। ଏହା ପରେ ଏକ ତଦନ୍ତ ଆରମ୍ଭ ହୋଇଥିଲା ଯେଉଁଥିରେ ସିବିଆଇ ଏହି ଅଧିକାରୀଙ୍କୁ ଚିହ୍ନଟ କରି ଧରିଥିଲା।
ଗିରଫ ହୋଇଥିବା ଅଧିକାରୀ ହେଉଛନ୍ତି ରିଙ୍କ ଯାଦବ, ଅନୀଲ୍ କୁମାର, ରାହୁଲ କୁମାର, ଅଭୟ କୁମାର, ମୁକେଶ କୁମାର, ଚନ୍ଦନ କୁମାର, ମନୋଜ କୁମାର, ପ୍ରଦୀପ କୁମାର ଏବଂ ମନିଷ କୁମାର। ଏମାନଙ୍କୁ ଆଇପିସିର ବିଭିନ୍ନ ଧାରା ଅନୁଯାୟୀ ଗିରଫ କରାଯାଇଛି। ଏହା ମାମଲାରେ ଅଧିକ ତଦନ୍ତ ଜାରି ରହିଛି।