ଗୋଟିଏ ଫର୍ମରେ ଭରିହେବ ଆଇଟିଆର: ସରକାର ଆଣୁଛନ୍ତି ସହଜ ଉପାୟ...

Published By : Prameya-News7 Bureau | November 09, 2022 IST

ନୂଆଦିଲ୍ଳୀ, ୦୯/୧୧: ଆୟକର ଜମା ସହଜ କରିବା ପାଇଁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍(ସିବିଡିଟି) ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛି। ସିବିଡିଟି କମନ୍ ଆଇଟିଆର ଫର୍ମ ଉପସ୍ଥାପନ କରିଛି। ଏହାଦ୍ବାରା ଭିନ୍ନ ଭିନ୍ନ ଆଇଟିଆର ଫର୍ମ ଭରିବାକୁ ପଡ଼ିବନି ବରଂ ଗୋଟିଏ ଫର୍ମ ଦ୍ବାରା ଏହା ସହଜରେ ହୋଇପାରିବ। ତେବେ କେବଳ ଆଇଟିଆର-୭ ଫର୍ମକୁ ବାଦ୍ ଦିଆଯାଇଛି।

ଏହାଦ୍ବାରା ଆଇଟିଆର ଭରିବା ସହଜ ହେବା ସହ ସମୟ ମଧ୍ୟ ବଞ୍ଚିବ ବୋଲି ସିବିଡିଟି ତରଫରୁ କୁହାଯାଇଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ। ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, କମନ ଆଇଟିଆର ଫର୍ମ ଆଇଟିଆର ଫାଇଲ କରିବା ସହଜ କରିବା ଦିଗରେ ଏକ ବଡ଼ ପଦକ୍ଷେପ।

କେବଳ ଟ୍ରଷ୍ଟ ତଥା ଅଣ ଲାଭକାରୀ ସଂସ୍ଥା ବ୍ୟତୀତ ସବୁ ଟାକ୍ସଦାତା ନୂଆ ଫର୍ମ ପୂରଣ କରିପାରିବେ। ଚାରି ଫର୍ମ ସ୍ଥାନରେ କମନ୍ ଫର୍ମ ମିଳିବ। ଏଥିରେ ଆଇଟିଆର-୨, ଆଇଟିଆର-୩, ଆଇଟିଆର-୫ ଏବଂ ଆଇଟିଆର-୬ ସାମିଲ ରହିଛି। କମନ୍ ଆଇଟିଆର ଫର୍ମ ଆସିବା ପରେ ବି ଆଇଟିଆର-୧ ଏବଂ ଆଇଟିଆର-୪ର ବିକଳ୍ପ ରହିବ। ଆଇଟିଆର-୭ ପୂର୍ବଭଳି ରହିବ। ଏହାର ବ୍ୟବହାର ପବ୍ଲିକ୍ ତଥା ଚାରିଟେବୁଲ ଟ୍ରଷ୍ଟ କରିଥାନ୍ତି। ସିବିଡିଟି ଏନେଇ ସାଧାରଣ ଲୋକଙ୍କ ସହ ଟ୍ୟାକ୍ସ ସହ ଜଡ଼ିତ ଲୋକଙ୍କଠାରୁ ପରାମର୍ଶ ମାଗିଛି। ଏହାପରେ ଅନ୍ତିମ ଫର୍ମ ଆସିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.