କୁକୁରକୁ ଖାଇବାକୁ ଦେବାରେ ହେଲା ଡେରି, ଦାଦା ପୁଅ ଭାଇକୁ ହତ୍ୟା କଲା ଯୁବକ

Published By : Prameya-News7 Bureau | November 06, 2022 IST

ପଲକ୍କଡ଼, ୦୬/୧୧: କୁକୁରକୁ ଖାଇବାକୁ ଦେବାରେ ଡେରି ହେଲା ବୋଲି ଜଣେ ଯୁବକ ନିଜର ଦାଦା ପୁଅ ଭାଇକୁ ହତ୍ୟା କରିଛି । ଏଭଳି ଏକ ଅଭାବନୀୟ ଘଟଣା କେରଳର ପଲକ୍କୁଡ଼ ଅଞ୍ଚଳରେ ଘଟିଛି । ପୋଲିସ୍‌ ମୁତାବକ ହକିମ ନାମକ ଜଣେ ୨୭ ବର୍ଷୀୟ ଯୁବକ ତାର ପାଳିତ କୁକୁରକୁ ଖାଇବାକୁ ଦେବାରେ ବିଳମ୍ୱ ହେବାରୁ ଦାଦାପୁଅ ଭାଇକୁ ପିଟି ପିଟି ମାରିଦେଇଛି । ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିବା ସହିତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି ।

ପିଟିଆଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଏ ଘଟଣା ନେଇ ପୋଲିସ୍‌କୁ ସୂଚନା ଦେଇଥିଲେ । ଯୁବକ ଅର୍ଶଦକୁ ମୃତ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିବା ଡାକ୍ତର କହିଛନ୍ତି । ପୋଲିସ୍‌ ଏନେଇ ତଦନ୍ତ କରି ହକିମ୍‌ ଅର୍ଶଦ ସହ ସଦାବେଳେ ମାଡ଼ପିଟ୍‌ କରୁଥିବା ଜାଣିବାକୁ ପାଇଥିଲା । ହକିମ୍‌ର ବ୍ୟବସାୟରେ ଅର୍ଶଦ ସାହାଯ୍ୟ କରୁଥିଲା । ଦୁଇ ଜଣ ସାଥିରେ ରହୁଥିଲେ । ତେଣୁ ଆଗରୁ ହକିମ୍‌ ତାକୁ ମାରୁଥିବା ଅନୁମାନ କରାଯାଉଥିବା ବେଳେ ଏଥର ଅଧିକ ମାଡ଼ ସହିନପାରି ଅର୍ଶଦର ମୃତ୍ୟୁ ହୋଇଥିଲା ।

ହକିମ୍‌ କୁକୁର ବେଲ୍ଟ ଏବଂ ଲାଠି ସାହାଯ୍ୟରେ ମାଡ଼ ମାରିଥିଲା । ଅର୍ଶଦ ଶରୀରରେ ଅନେକ ଦାଗ ରହିଥିବା ପୋଲିସ୍‌ କହିଛି । ପ୍ରଥମେ କିନ୍ତୁ ହକିମ୍‌ ଡାକ୍ତରକୁ ସେ ଛାତ ଉପରୁ ଖସିପଡ଼ିଥିବା ମିଛ କହିଥିଲା । ଯାହାକୁ ସନ୍ଦେହ କରି ହସ୍ପିଟାଲ୍‌ ପକ୍ଷରୁ ପୋଲିସ୍‌କୁ ସୂଚନା ଦିଆଯାଇଥିଲା ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.