କାନାଡା ପିଏମ୍‌ଙ୍କୁ ଇସ୍ପାତ କର୍ମଚାରୀଙ୍କ ରୋକ୍‌ଠୋକ୍, କହିଲେ ଆଉ ଜିତିବାକୁ ଦେବୁନି...

Published By : Prameya-News7 Bureau | September 03, 2024 IST

ଓଟାୱା ୦୩/୦୯: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କୁ ଦେଶର ଜଣେ ଇସ୍ପାତ କର୍ମଚାରୀ ଜୋରଦାର ଭର୍ତ୍ସନା କରିଛନ୍ତି । ଟ୍ରୁଡୋ ଏକ ଇସ୍ପାତ ପ୍ଲାଣ୍ଟ ପରିଦର୍ଶନ କରି କର୍ମଚାରୀଙ୍କ ଭଲମନ୍ଦ ବୁଝୁଥିବା ବେଳେ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଛି । ଜଣେ କର୍ମଚାରୀ ତାଙ୍କ ସହ ସିଧାସଳଖ କଥା ହୋଇ ସମାଲୋଚନା କରିଛନ୍ତି । ଦରଦାମ ବୃଦ୍ଧି ଓ ଅତ୍ୟଧିକ ଟିକସକୁ ନେଇ ସେ ଅଭିଯୋଗ କରିଛନ୍ତି । 

ଏହି ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । ଭିଡିଓରେ ଟ୍ରୁଡୋ କହୁଛନ୍ତି ଯେ ଚୀନ୍‌ ଉପରେ ଯେଉଁ ୨୫% ଟିକସ ଲାଗୁ ହୋଇଛି, ତାହାଦ୍ୱାରା ଆପଣମାନଙ୍କୁ ଫାଇଦା ମିଳିବ । ଆପଣଙ୍କ ଚାକିରି ଉପରେ କୌଣସି ସମସ୍ୟା ଉପୁଜିବ ନାହିଁ । ମୁଁ ଆପଣଙ୍କ ପାଇଁ ତଥା ଆପଣଙ୍କ ଚାକିରିରେ ନିବେଶ କରିବାକୁ ଯାଉଛି । ଟ୍ରୁଡୋଙ୍କଠାରୁ ଏହା ଶୁଣିବା ପରେ ଜଣେ ଇସ୍ପାତ କର୍ମଚାରୀ ନିରାଶ ହୋଇ କହୁଛନ୍ତି, ମୁଁ ଯେଉଁ ୪୦% ଟିକସ ଦେଉଛି, ତାହାର କ’ଣ ହେଉଛି? ମୁଁ ଏତେ ଟିକସ ଦେଉଛି, କିନ୍ତୁ ମୋ ପାଖରେ ଡାକ୍ତର ସୁବିଧା ନାହିଁ । 

ମୁଁ ନିଜ ଡେଣ୍ଟାଲ୍‌ ଇନ୍‌ସ୍ୟୁରାନ୍ସ ଲାଗି ମଧ୍ୟ ଟଙ୍କା ଗଣୁଛି । କର୍ମଚାରୀ ଜଣକ ଆହୁରି କହୁଛନ୍ତି, ଏକ ଫୁଲ୍‌ଟାଇମ୍‌ ଜବ୍‌ ହୋଇ ସୁଦ୍ଧା ମୁଁ ପତ୍ନୀ ଓ ପିଲାଙ୍କର ଭରଣପୋଷଣ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛି । ମୁଁ ଯାହା ରୋଜଗାର କରୁଛି, ତାହାର ପ୍ରାୟ ଅଧା ଭାଗ ସରକାର ନେଇଯାଉଛନ୍ତି । ମୋତେ ଲାଗୁଛି ଆପଣ ପୁନର୍ବାର ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି । କିନ୍ତୁ ଆମେ ଆପଣଙ୍କୁ ଆଉ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁନାହୁଁ । ଏହାର ଜବାବରେ ଟ୍ରୁଡୋ କହୁଛନ୍ତି, ଏଇଥିପାଇଁ ନିର୍ବାଚନ ହୋଇଥାଏ । 

ମୁଁ ଆଶା କରୁଛି ପ୍ରତ୍ୟେକ ଲୋକ ଭୋଟ୍‌ ଦେବେ । ଆମେ ଆପଣଙ୍କ ଚାକିରିରେ ନିବେଶ କରିବୁ । ଏହାପରେ କର୍ମଚାରୀ ଜଣକ କହୁଛନ୍ତି, ଆପଣଙ୍କର କୌଣସି କଥାରେ ଆମର ବିଶ୍ୱାସ ହେଉନାହିଁ । ଉଲ୍ଲେଖଯୋଗ୍ୟ, କାନାଡା ସରକାର ନିକଟରେ ଚୀନ୍‌ର ଇସ୍ପାତ ଓ ଆଲୁମିନିୟମ ଉପରେ ୨୫% ଟାରିଫ୍‌ ଲଗାଇବା ପାଇଁ ଘୋଷଣା କରିଛନ୍ତି । ପାଶ୍ଚାତ୍ୟ ଦେଶର ସରକାରଙ୍କ କହିବା କଥା ହେଉଛି ଚୀନି ସରକାର ନିଜ ଉଦ୍ୟୋଗକୁ ଅନାବଶ୍ୟକ ସବ୍‌ସିଡି ପ୍ରଦାନ କରୁଛି, ଯଦ୍ଦ୍ୱାରା ସେମାନଙ୍କ ସାମଗ୍ରୀ ଦର ଶସ୍ତା ହୋଇଯାଉଛି । 

ଏହାଦ୍ୱାରା ବାକି ଦେଶଗୁଡ଼ିକରେ ଥିବା କମ୍ପାନିଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ୁଛି । କାନାଡାରେ ଚୀନ୍‌ ନିର୍ମିତ ଇଲେକ୍ଟ୍ରିକ୍‌ ଗାଡ଼ିଗୁଡ଼ିକର ଆମଦାନି ଉପରେ ୧୦୦% ଟିକସ ଲାଗୁ ହୋଇଛି । ଆମେରିକା ପକ୍ଷରୁ ପ୍ରଥମେ ଟାରିଫ୍‌ ଲଗାଯିବା ପରେ କାନାଡା ଏଭଳି ପଦକ୍ଷେପ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.