ଜାତିଗତ ପ୍ରମାଣପତ୍ରକୁ ନେଇ ଗୃହରେ ଉଦବେଗ : ତାଲିକାରେ ବହୁ ଆଦିମ ଆଦିବାସୀ ବାଦ ପଡିବା ଓ ଅନେକ ଜନଜାତି ବର୍ଗକୁ ସଂପୃକ୍ତି କରାଯାଇନଥିବା ଅଭିଯୋଗ

Published By : Prameya-News7 Bureau | July 23, 2022 IST

ଭୁବନେଶ୍ୱର ୨୩।୭: ଜାତିଗତ ପ୍ରମାଣପତ୍ରକୁ ନେଇ ଗୃହରେ ଉଦବେଗ । ଶନିବାର ପ୍ରଶ୍ନକାଳରେ ଜାତିଗତ ପ୍ରମାଣପତ୍ର ତାଲିକାରେ ବହୁ ଆଦିମ ଆଦିବାସୀ ବାଦ ପଡ଼ିଥିବା ବେଳେ ଅନେକ ଜନଜାତି ବର୍ଗକୁ ତାଲିକାରେ ସଂପୃକ୍ତି କରାଯାଇନଥିବା ଅଭିଯୋଗ ହୋଇଛି । ମୂଳ ପ୍ରଶ୍ନକର୍ତ୍ତା ଭାସ୍କର ମଡ଼େଇ ଓ ଅନ୍ୟାନ୍ୟ ସଦସ୍ୟଙ୍କ ଏ ସମ୍ପର୍କୀତ ପ୍ରଶ୍ନର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଗତ ୨୦୧୭ ମସିହାଠାରୁ ସ୍କୁଲ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅନେକ ସ୍ଥାନରେ ଆଦିମ ଆଦିବାସୀ ଓ ଆଦିବାସୀ ବର୍ଗର ଲୋକଙ୍କୁ ତାଲିକାରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି। ୧୬୯ ଜାତି ତାଲିକାକୁ ମଞ୍ଜୁରୀ ପାଇଁ କେନ୍ଦ୍ରକୁ ପଠାଯାଇଥିବା ବେଳେ କେନ୍ଦ୍ର ସରକାର ୧୧ଟି ବର୍ଗକୁ ଅନୁସୂଚିତ ଜାତିରେ ଅନ୍ତର୍ଭୁକ୍ତ କରିଥିବା ବେଳେ ୨୦ ବର୍ଗର ପ୍ରସ୍ତାବକୁ ନାକଚ କରିଛନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମିତ ବ୍ୟବଧାନରେ କେନ୍ଦ୍ରକୁ ଅନୁରୋଧ କରାଯାଉଛି । ତାଲିକାରୁ ବାଦ ପଡ଼ିଥିବା ବର୍ଗଙ୍କୁ ଅନୁସୂଚିତ ଜାତିରେ ସାମିଲ କରିବାକୁ ୨୦୨୧ ମସିହା ଫେବୃଆରୀ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ବର୍ତ୍ତମାନ ସୁଦ୍ଧା ଏହା କେନ୍ଦ୍ର ସରକାରଙ୍କ ନିକଟରେ ଗଡୁଛି । ତେବେ ବର୍ତ୍ତମାନ ନବ ନିର୍ବାଚିତ ରାଷ୍ଟ୍ରପତି ଓଡ଼ିଆ ଓ ଆଦିବାସୀ ବର୍ଗର ହୋଇଥିବାରୁ ଏ ଦିଗରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.