ଅନ୍ୟ ଜାତିରେ ବିବାହ କରିଥିଲେ ଯୁବକ, ମୃତଦେହକୁ ସତ୍କାର କଲେ ନାହିଁ ଜାତିଭାଇ
16/08/2022 at 3:49 PM

ତେଲକୋଇ, ୧୬/୦୮: ଜାତିପ୍ରଥାକୁ ନେଇ ୨୪ ଘଣ୍ଟା ପଡିରହିଲା ଯୁବକଙ୍କ ମୃତଦେହ। ଦୁଇ ସାମ୍ବାଦିକଙ୍କ ସହ ଆଇନଜୀବୀଙ୍କ ସହାୟତାରେ ହେଲା ମୃତଦେହ। ଏଭଳି ଅଭାବନୀୟ ଘଟଣା ତେଲକୋଇ ଥାନା ଖୁଣ୍ଟାପଡା ପଞ୍ଚାୟତ ଦୁଲ୍ଲଭପୁର ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମର କୁନୁ କିଶାନ ନାମକ ଜଣେ ଯୁବକ ଅନ୍ୟ ଏକ ଜାତିର ଝିଅ ପତି ମୁଣ୍ଡାଙ୍କୁ ବିବାହ କରିଥିଲେ। ଯାହାକୁ ନେଇ କିଶାନ ସମାଜ କୁନୁଙ୍କ ସଭ୍ୟ ପଦ ରଦ୍ଦ କରିଦେଇଥିଲେ । କୌଣସି କାରଣରୁ ୪ ମାସ ହେବ କୁନୁଙ୍କ ଦେହ ଖରାପ ହୋଇଯାଇଥିଲା। ତାଙ୍କୁ ବିଭିନ୍ନ ମେଡିକାଲରେ ଚିକିତ୍ସା ପରେ ମଧ୍ୟ ତାଙ୍କ ଦେହ ଭଲ ନହେବାରୁ ସ୍ତ୍ରୀ ପତି କଟକ ବଡ ମେଡିକାଲ ନେଇଯାଇଥିଲେ।ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତ୍ୟୁ ପରେ ସ୍ୱାମୀର ମୃତଦେହକୁ ଧରି ସ୍ତ୍ରୀ ପତି ମୁଣ୍ଡା ଗାଁକୁ ଫେରିଥିଲେ। ହେଲେ ଜାତି ପ୍ରଥା ବିବାଦରୁ ଜାତିଭାଇ ମାନେ ମୃତଦେହକୁ ଛୁଇଁ ନଥିଲେ। ଫଳରେ ଦୀର୍ଘ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ହେବ ମୃତଦେହଟି ଘରେ ପଡରହିଥିଲା । ଖବରପାଇ ଦୁଇଜଣ ସାମ୍ବାଦିକ ବିକ୍ରମ ଚୌହାନ, କୈଳାସ ପ୍ରଧାନ ଓ ଜଣେ ଆଇନଜୀବୀ ଜମ୍ବେଶ୍ବର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଶବକୁ କାନ୍ଧରେ ବୋହିନେଇ ସତ୍କାର କରିଥିଲେ । ସାମ୍ବାଦିକ ଏବଂ ଆଇନଜୀବୀଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।