ଜାତୀୟ ରାଜପଥରେ କାଜୁ ବ୍ୟବସାୟୀଙ୍କୁ ଛୁରାମାଡ଼ କରି ୫୦ ହଜାର ଟଙ୍କା ଲୁଟ୍
18/05/2022 at 10:20 PM

ଟାଙ୍ଗୀ ୧୮/୦୫ : ବ୍ରହ୍ମପୁରରେ ଥିବା ଛତ୍ରପୁର ଅଞ୍ଚଳର ରାମଚନ୍ଦ୍ର ପାତ୍ର କାଜୁ ମଞ୍ଜି କିଣିବା ପାଇଁ ଚାନ୍ଦପୁର ଥାନା ଅଧିନସ୍ଥ କେରଣ୍ଡାଟାଙ୍ଗୀ ଗାଁର ହରି ପ୍ରଧାନଙ୍କ ପାଖକୁ ବୋଲେରୋ ଗାଡ଼ିରେ ୫୦ ହଜାର ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଆସୁଥିଲେ । ଏହି ସମୟରେ ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥର ଟାଙ୍ଗୀ ଥାନା ଅଧିନସ୍ଥ ପଥରବନ୍ଧ ଛକରେ ସେହି ବୋଲେରୋ ପିକ୍-ଅପ୍ ଗାଡିକୁ ପଲସର୍ ବାଇକ୍ ରେ ୩ ଜଣ ଦୁର୍ବୃତ୍ତ ( ଯୁବକ ଅଟକାଇ କାଜୁ ବ୍ୟବସାୟୀଙ୍କୁ ଛୁରାମାଡ କରି ୫୦ ହଜାର ଟଙ୍କା ଭର୍ତ୍ତି ବ୍ୟାଗ୍ ଓ ମୋବାଇଲ ଫୋନ ନେଇ ଚମ୍ପଟ ମାରୁଥିଲେ । ଠିକ ଏହି ସମୟରେ ପାଖରେ ଥିବା ଲୋକମାନେ ସେଠାରେ ପହଞ୍ଚି ଯାଇଥିଲେ ।
ଏହି ଘଟଣା ସ୍ପଷ୍ଟ ଦିବାଲୋକରେ ଘଟିଛି । ଲୁଟ୍-ପାଟ୍ ଘଟଣା ଦେଖି କିଛି ଦେଖେଣାହାରୀ ଏହି ଲୁଟେରା ମାନଙ୍କୁ ଟେକା-ପଥର ରେ ଆକ୍ରମଣ କରିଥିଲେ , ଲୁଟେରା ମାନେ ବାଇକ୍ ନେଇ ଚମ୍ପଟ ମାରିବା ସମ୍ଭବ ନଥିଲା । ଠିକ୍ ଏତିକି ବେଳେ ଜଣେ ଲୁଟେରା ସହିତ ପଲସର୍ ବାଇକ୍ ଧରାପଡି ଯାଇଥିଲା ମାତ୍ର ଅନ୍ୟ ୨ ଲୁଟେରା ୫୦ ହଜାର ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଚମ୍ପଟ ମାରିଛନ୍ତି । ଧରାପଡି ଥିବା ଲୁଟେରା ଜଣକୁ ଟାଙ୍ଗୀ ପୋଲିସ ନିଜ ହେପାଜତକୁ ଆଣି ତଦନ୍ତ ଆରମ୍ଭ କରିଛି। ଗିରଫ ଲୁଟେରା ଠାରୁ ଟାଙ୍ଗୀ ପୋଲିସ ରକ୍ତ ଲଗା ଛୁରୀ ଜବତ କରିଛି। ଲୁଟେରା ଜଣକ ଜଗତସିଂହପୁର ଜିଲ୍ଲା ବାଲିକୁଦା ଗାଁର ସାଗର ମଲ୍ଲିକ ବୋଲି ଜଣା ପଡିଛି । ଏହି ଲୁଟେରାକୁ ଲୋକମାନେ ଛେଚିବା ବେଳେ ଏହି ଲୁଟେରା ଜଣକ ଏପରି ବହୁ ଲୁଟ୍-ପାଟ୍ କରିଛି ଏବଂ ବହୁବାର ଜେଲ୍ ଯାଇଥିବା ନିଜେ ସ୍ୱୀକାର କରିଛି। ଲୁଟେରାଙ୍କ ଛୁରାମାଡରେ କାଜୁ ବ୍ୟବସାୟୀ ରାମଚନ୍ଦ୍ର ପାତ୍ର ଆହତ ହୋଇଛନ୍ତି ।