ଏଟିଏମ ଅଛି, ହେଲେ ଟଙ୍କା ନାହିଁ ; ଲୋକେ ହନ୍ତସନ୍ତ
17/04/2018 at 9:33 AM

ଏଟିଏମ ଅଛି, ହେଲେ ଟଙ୍କା ନାହିଁ। ନଗଦ ଟଙ୍କା ଉଠାଣ ପାଇଁ ଲୋକେ ହେଉଛନ୍ତି ହନ୍ତସନ୍ତ। ଏ ଅବସ୍ଥା ଖାଲି ତେଲେଙ୍ଗାନା ଏବଂ ଆନ୍ଧ୍ରରେ ଏବେ ସୀମିତ ରହିନି। ଏବେ ଦେଶର ଅନେକ ରାଜ୍ୟ ଏହି ସମସ୍ୟା ଯୋଗୁ ପ୍ରଭାବିତ ହୋଇଥିବା ଜଣାପଡିଛି। କର୍ଣ୍ଣାଟକ, ମହାରାଷ୍ଟ୍ର,ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ଏଟିଏମରୁ ଟଙ୍କା ଗାଏବ ହୋଇଥିବା ନେଇ ଲୋକେ ଟୁଇଟ୍ କରି ଜଣାଇଛନ୍ତି। ନଗଦ ଟଙ୍କା ଉଠାଣ ପାଇଁ ଦିଲ୍ଲୀରୁ ବାରଣାସୀ, ହାଇଦ୍ରାବାଦରୁ ଭୋପାଳ,ସୁରଟ ପର୍ଯ୍ୟନ୍ତ ସବୁଠି ହାହାକାର। ସହରର ଗୋଟଏ ଏଟିଏମରୁ ଆଉ ଗୋଟିଏ ଏଟିଏମ ଧାଇଁ ଧାଇଁ ଲୋକେ ନୟାନ୍ତ। ଲୋକେ ଘଣ୍ଟା ଘଣ୍ଟା ଧରି ଏଟିଏମ ବାହାରେ ଧାଡିରେ ଛିଡା ହେଉଛନ୍ତି। ହେଲେ ଟଙ୍କା ଉଠାଣ ସମୟରେ ଏଟିଏମରେ ନଗଦ ଟଙ୍କା ନଥିବା ସେମାନଙ୍କୁ ନିରାଶ କରିଛି। ଏଟିଏମ ବାହାରେ ଲୋକଙ୍କ ଲମ୍ବା ଧାଡି ବିମୁଦ୍ରୀକରଣ ସମୟରେ ବ୍ୟାଙ୍କ ଆଗରେ ଲୋକମାନେ ଙ୍ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇଥିବା କଥାକୁ ମନେ ପକାଇଦେଇଛି। ନଗଦ ଅର୍ଥ ସଙ୍କଟ ନେଇ ଅର୍ଥମନ୍ତ୍ରଣାଳୟ ଅଧିକାରୀ ଆରବିଆଇ ସହିତ ଆଲୋଚନା କରିଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ନଗଦ ଅର୍ଥ ସଙ୍କଟ ଟାଳିବାପାଇଁ ଆରବିଆଇ ଏକ କମିଟି ଗଠନ କରିଛି। ଏପଟେ କିଛି ରାଜ୍ୟ ଅଳ୍ପମାତ୍ରାରେ ନଗଦ ଅର୍ଥ ଗଚ୍ଛିତ ରଖିଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଏସ ପି ଶୁକ୍ଲା। ସେପଟେ କିଛି ବ୍ୟାଙ୍କ ଅଧିକାରୀଙ୍କ କହିବାକଥା ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ କରିବାକୁ ଯାଇ ଆରବିଆଇ ଜାଣିଶୁଣି ବ୍ୟାଙ୍କକୁ କମ୍ ନଗଦ ଅର୍ଥ ଯୋଗାଣ କରୁଥିବାରୁ ଏଭଳି ସମସ୍ୟା ଉପୁଜିଛି।