ଲଜ୍ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଆସି ଆଉ ଫେରିଲେନି
4/07/2023 at 12:11 PM

ଜଟଣୀ ୪।୭: ଲଜ୍ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ଜଟଣୀ ସୀତାରାମ ଛକରେ ଥିବା ଲଜ୍ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି । ମୃତ ଯୁବତୀ ଜଣଙ୍କ ଭୁବନେଶ୍ୱର ୟୁନିଟ୍ ୬ ଅଞ୍ଚଳର ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ସୀତାରାମ ଛକ ସ୍ଥିତ କାହ୍ନ ଗେଷ୍ଟ ହାଉସକୁ ଗତ ରବିବାର ଅପରାହ୍ନରେ ମୃତ ଯୁବତୀ ଏବଂ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହିତ ରହିବା ପାଇଁ ଆସିଥିଲେ । ଉଭୟ ସ୍ୱାମୀ ଏବଂ ସ୍ତ୍ରୀର ପରିଚୟ ଦେଇ ଲଜରେ ନିଜ ପାଇଁ ରୁମ ବୁକ୍ କରିଥିଲେ । ଲଜ୍ କର୍ମଚାରୀ ନିୟମ ଅନୁଯାଇ ପରିଚୟ ପାଇବା ପରେ ଉଭୟ ଯୁବତୀ ଏବଂ ଯୁବକଙ୍କୁ ରହିବା ପାଇଁ ଲଜର ରୁମ ନମ୍ବର ୧୧୩ ଚାବି ପ୍ରଦାନ କରିଥିଲେ ।

ଲଜର କର୍ମଚାରୀ ଏବଂ ମାଲିକଙ୍କ କହିବା ଅନୁଯାୟୀ, ଗତ ରବିବାର ରାତି ପ୍ରାୟ ୧୧ଟାରେ ଯୁବକ ଜଣଙ୍କ ବାହାରରୁ ଖାଇବା ଆଣିବା ପାଇଁ ଯାଇଥିଲେ । ଖାଇବା ଆଣିବା ପାଇଁ ଯାଇ ଆଉ ଲଜ୍କୁ ଫେରିନଥିଲେ । ସକାଳେ ଲଜର ସଫେଇ କର୍ମଚାରୀ ରୁମ ସଫା କରିବା ପାଇଁ ଯାଇ ଦେଖନ୍ତି ତ ଲଜର ଯୁବତୀ ଓ ଯୁବକ ରହିଥିବା ରୁମ ଭିତର ପାଖରୁ ବନ୍ଦ ରହିଛି । ସଫା କରିବା ପାଇଁ କବାଟ ବାଡାଇ ଡାକିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନଖୋଳିବାରୁ କୌଣସି ଅଘଟଣର ଆଶଙ୍କା କରି ଲଜ୍ ମାଲିକ ଜଟଣୀ ଥାନାକୁ ଖବର ଦେଇଥିଲେ । ଖବର ପାଇ ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାରସିଂ ସଦଳବଳ ଉକ୍ତ ଲଜରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ମୃତକଙ୍କ ପରିବାରକୁ ଖବର ଦେଇଥିଲେ ।
ଖବର ପାଇ ମୃତ ଯୁବତୀଙ୍କ ସାନ ଭାଇ, ଭିଣୋଇ ଏବଂ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ସମସ୍ତଙ୍କ ଉପସ୍ଥିତିରେ ଲଜ୍ ରୁମର କବାଟ ଭାଙ୍ଗି ଯୁବତୀଙ୍କ ପରିଚୟ ସ୍ପଷ୍ଟ କରାଯାଇଥିଲା । ଏ ନେଇ ମୃତ ଯୁବତୀଙ୍କ ପରିବାର ପକ୍ଷରୁ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରାଯଇଛି । ଏହି ମାମଲାରେ ଜଟଣୀ ପୋଲିସ ୨୩/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ମଙ୍ଗଳବାର ସକାଳୁ ସାଇଣ୍ଟିଫିକ୍ ଟିମର ତଦନ୍ତ କରିବା ପରେ ମୃତ ଶରୀରକୁ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
You Can Read :