CID ହାଜତରେ ବୋଗତୁଇ ହିଂସା ଅଭିଯୁକ୍ତର ମୃତ୍ୟୁ, ୭ ସିବିଆଇ ଅଧିକାରୀଙ୍କ ବିରୋଧରେ ମୋକଦ୍ଦମା ରୁଜୁ

Published By : Prameya-News7 Bureau | December 14, 2022 IST

କୋଲକାତା ୧୪।୧୨:  ପଶ୍ଚିମବଙ୍ଗ ଅପରାଧ ଅନ୍ୱେଷଣ ବିଭାଗ (ସିଆଇଡି) ବୋଗତୁଇ ହିଂସାର ମୁଖ୍ୟ ଅଭିଯୁକ୍ତ ଲଲନ ଶେଖର ହାଜତ ମୃତ୍ୟୁ ମାମଲାର ତଦନ୍ତରେ ଜଣେ ଡିଆଇଜି ଓ ପୋଲିସ ଅଧିକ୍ଷକଙ୍କ ସମେତ କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ (ସିବିଆଇ)ର ୭ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ସିଆଇଡିର ଜନୈକ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି।

ଅଧିକାରୀମାନଙ୍କ ବିରୋଧରେ ହତ୍ୟା ଏବଂ ଭାରତୀୟ ଦଣ୍ଡ ବିଧି ଆଇନ (ଆଇପିସି)ର ଅନ୍ୟ ଧାରାରେ ମୋକଦ୍ଦମା ରୁଜୁ କରାଯାଇଛି। ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ମଙ୍ଗଳବାର ସେମାନଙ୍କ ବିରୋଧରେ ଅଭିଯୋଗ ରୁଜୁ ହୋଇଥିବା ବେଳେ ଏଫଆଇଆରକୁ ରାମପୁର ହାଟ ଜିଲ୍ଲା ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଉପସ୍ଥାପିତ କରାଯାଇଥିଲା। ସିଆଇଡି ଅଧିକାରୀଙ୍କ ଅନୁସାରେ ହାଜତ ମୃତ୍ୟୁମାମଲାରେ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଆଇପିସିର ଧାରା ୩୦୨,୩୨୩, ୩୨୫, ୧୨୦(ବି) ଓ ଅନ୍ୟ ଅପରାଧିକ ଧାରାରେ ଏତଲା ରୁଜୁ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ୨୧ ମାର୍ଚ୍ଚ ୨୦୨୨ରେ ବେଗତୁଇର ତୃଣ ମୂଳ ନେତା ଭାଦୁ ଶେଖଙ୍କ ମୃତ୍ୟୁକୁ ନେଇ ହିଂସାକାଣ୍ଡ ହୋଇଥିଲା। ଏଥିରେ ଅନେକ ଲୋକଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା। କଥିତ ହିଂସାରେ ଅନୁନ୍ୟ ୧୦ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ତଦନ୍ତ ସିବିଆଇ କରୁଥିବା ବେଳେ ଅଭିଯୁକ୍ତ ଲଲନ ଶେଖକୁ ଗିରଫ କରାଯାଇଥିଲା। ଗିରଫ ବେଳେ ସିବିଆଇ ଅଧିକାରୀମାନେ ତାକୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ବୋଲି ତାଙ୍କ ପତ୍ନୀ ରେସ୍ମା ବିବି ଅଭିଯୋଗ କରିଛି।

ତେବେ ସିଆଇଡିର ଏତଲାକୁ ନେଇ ସିବିଆଇ ପ୍ରଶ୍ନ ଉଠାଇଛି। ଏଥିରେ ବେଗତୁଇ ନରସଂହାର ମାମଲାର ଯାଞ୍ଚରେ ସମ୍ପୃକ୍ତ ନଥିବା ଅଧିକାରୀଙ୍କ ନାମ ମଧ୍ୟ ଏତଲାରେ ଥିବା ସିବିଆଇ ଅଭିଯୋଗ କରିଛି। ସିଆଇଡିର ଏହି କାମକୁ ସିବିଆଇ ଆଇନରେ ଚାଲେଞ୍ଜ କରିବ ବୋଲି କହିଛି। ଏଥି ଲାଗି ଜଣେ ବରିଷ୍ଠ ସିବିଆଇ ଅଧିକାରୀ ପହଞ୍ଚିଥିବା ଓ ସିଆଇଡିର ଏତଲା ସମ୍ପର୍କରେ ପଦକ୍ଷେପ ନେବା ପାଇଁ ସିବିଆଇ କାର୍ଯ୍ୟାଳୟରେ ବୈଠକ କରିଥିବା ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.