ଉଦୟନିଧି ଷ୍ଟାଲିନ୍ଙ୍କ ମନ୍ତବ୍ୟ ଉପରେ ‘ନରସଂହାର’ ଟ୍ୱିଟ୍ ପ୍ରସଙ୍ଗ, ବିଜେପି ନେତା ଅମିତ୍ ମାଲବ୍ୟଙ୍କ ବିରୋଧରେ ମାମଲା ରୁଜୁ
6/09/2023 at 11:16 PM

ନୂଆଦିଲ୍ଲୀ: ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ଙ୍କ ସନାତନ ଧର୍ମ ଟିପ୍ପଣୀ ପ୍ରସଙ୍ଗ ବିବାଦରେ ରହିଛି। ଆଉ ତାଙ୍କର ଏହି ମନ୍ତବ୍ୟ ଉପରେ ଟ୍ବିଟ୍ କରିବାକୁ ନେଇ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲବ୍ୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପ୍ରକୃତରେ ଅମିତ୍ ମାଲବ୍ୟ ନିକଟରେ ଏକ୍ସ (ପୂର୍ବରୁ ଟ୍ବିଟର)ରେ ଉଦୟନିଧିଙ୍କ ‘ସନାତନ ଧର୍ମ’କୁ ନେଇ ମନ୍ତବ୍ୟ ଉପରେ ଏକ ଟ୍ବିଟ୍ କରିଥିଲେ। ସେ ଉଦୟନିଧିଙ୍କ ମନ୍ତବ୍ୟକୁ ଜନସଂହାର ବୋଲି କହିଥିଲେ। ସେ ‘‘କହିଛନ୍ତି ଉଦୟନିଧିଙ୍କ ମନ୍ତବ୍ୟର ସରଳ ଅର୍ଥ ହେଉଛି ଭାରତରେ ୮୦ ପ୍ରତିଶତ ଲୋକସଂଖ୍ୟା ଯେଉଁମାନେ ସନାତନ ଧର୍ମକୁ ଅନୁସରଣ କରୁଛନ୍ତି ସେମାନଙ୍କର ନରସଂହାର ହେଉ।’’
ଟ୍ରିଚି ସାଉଥ୍ ଜିଲ୍ଲାର ଡିଏମକେ ନେତା କେଏଭି ଦିନାକରନଙ୍କ ଅଭିଯୋଗ ଆଧାରରେ ତାମିଲନାଡୁ ଟ୍ରିଚି ପୋଲିସ୍ରେ ଏହି ଏଫଆଇଆର କରାଯାଇଛି। ଅଭିଯୋଗରେ କୁହାଯାଇଛି ଯେ, ’’ରାଜନୀତିକ ଦୃଷ୍ଟିରୁ ‘ସନାତନ ଧର୍ମ’ ଉପରେ ଦେଇଥବା ବୟାନକୁ ନେଇ ଉଦୟନିଧି ଷ୍ଟାଲିନ୍ ସ୍ପଷ୍ଟିକରଣ ରଖିଥିଲେ। କିନ୍ତୁ ଏହା ପରେ ମଧ୍ୟ ଅମିତ ମାଲବ୍ୟ ଜାଣିଶୁଣି ଦୁଇ ସମୂହଙ୍କ ମଧ୍ୟରେ ହିଂସା, ଘୃଣା ଉସ୍କେଇବା ଏବଂ ସାଂପ୍ରଦାୟିକ ସଦ୍ଭାବନାକୁ ଦୁର୍ବଳ କରିବା ପାଇଁ ମନ୍ତ୍ରୀଙ୍କ ଭାଷଣକୁ ବିକୃତ କରିଛନ୍ତି।’’
ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ମୁର୍ମୁ ବି ଭେଦଭାବର ଶିକାର ହୋଇଛନ୍ତି: ଉଦୟନିଧି ଷ୍ଟାଲିନ୍
ସୂଚନାଯୋଗ୍ୟ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ସନାତନ ଧର୍ମକୁ ‘ମ୍ୟାଲେରିଆ’ ଏବଂ ‘ଡେଙ୍ଗୁ’ ବୋଲି କହି ବିବାଦ ଭିତରକୁ ଟାଣି ହୋଇଛନ୍ତି। ଉଦୟନିଧି କହିଛନ୍ତି ‘‘ସନାତନ ଧର୍ମ ଜାତିପ୍ରଥା ଏବଂ ଭେଦଭାବ ଉପରେ ପର୍ଯ୍ୟବେସିତ। ସନାତନର ବିରୋଧ କରିବା ବଦଳରେ ତାହାକୁ ମୂଳରୁ ଶେଷ କରିବା ଦରକାର। ସନାତନ ନାମ ସଂସ୍କୃତରୁ ଆସିଛି।
ଆଉ ତାଙ୍କର ଏହି ମନ୍ତବ୍ୟ ପରେ ରାଜନୀତି ଜୋର୍ ଧରିଥିଲା। ଅନେକ ହିନ୍ଦୁ ସଂଗଠନ, ବିଜେପି ସମେତ ଅନେକ ରାଜନୀତିକ ଦଳ ଡିଏମକେ ନେତାଙ୍କୁ ସମାଲୋଚନା କରିଥିଲେ । ତେବେ ଏହାକୁ ନେଇ ମାଲବ୍ୟଙ୍କ ଟ୍ବିଟ୍ ପରେ ଉଦୟନିଧି ଷ୍ଟାଲିନ୍ ସ୍ପଷ୍ଟିକରଣ ମଧ୍ୟ ରଖିଥିଲେ। ଉଦୟନିଧି କହିଥିଲେ ସେ କେବେବି ସନାତନ ଧର୍ମର ପାଳନ କରୁଥିବା ଲୋକଙ୍କ ନରସଂହାର କଥା ଆହ୍ବାନ କରିନାହାଁନ୍ତି । କିଛି ଲୋକ ତାଙ୍କ ଟିପ୍ପଣୀକୁ ଭୁଲ୍ ଭାବରେ ଉପସ୍ଥାପିତ କରୁଛନ୍ତି। ଅବଶ୍ୟ ସେ ନିଜ କଥାରେ ଅଟଳ ରହିଥିଲେ।