ଯଦି କରୋନା ଭାଇରସ୍‌ ଭାରତରେ ଅଧିକ ଲୋକଙ୍କୁ ଆକ୍ରାନ୍ତ କରେ -ବିସ୍ଫୋରକ ରୂପ ନେବ

Published By : Prameya-News7 Bureau | February 29, 2020 IST

ନୂଆଦିଲ୍ଲୀ ୨୯।୦୨- ଯଦି କରୋନା ଭାଇରସ୍‌ ଭାରତରେ ଅଧିକ ଲୋକଙ୍କୁ ଆକ୍ରାନ୍ତ କରେ ତେବେ ଏହା ବିସ୍ଫୋରକ ରୂପ ଧାରଣ କରିବ ।ଏଭଳି ଚେତାବନୀ ଦେଇଛି ଆମେରିକୀୟ ଗୁଇନ୍ଦା ସଂସ୍ଥା ।ସେପଟେ ବ୍ରାଜିଲରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ବିଶ୍ବର ଆଉ କୌଣସି ମହାଦେଶ ଏଥିରୁ ବାଦ୍‌ ପଡୁନାହିଁ ।

ଭାରତରେ କରୋନା ଭାଇରସ୍‌ ନେଇପାରେ ବିସ୍ଫୋରକ ରୂପ ।ଚୀନରେ ଏବେ କରୋନାକୁ ନେଇ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି, ଭାରତରେ ଏହା ବ୍ୟାପିଲେ ଅଧିକ ସାଂଘାତିକ ହେବ ।ଏମିତି ସତର୍କ ସୂଚନା ଦେଇଛି ଆମେରିକୀୟ ଗୁଇନ୍ଦା ସଂସ୍ଥା । ଭାରତରେ ଘନ ଜନବସତି ଯୋଗୁଁ ଭାଇରସ୍ ତୀବ୍ର ଗତିରେ ବିଭିନ୍ନ ଅଞ୍ଚଳକୁ ବ୍ୟାପିଯିବ ।ଭାରତରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ ଭଳି ଭିତ୍ତଭୂମି ଏବଂ ସମ୍ବଳ ରହିଛି ତାହା କରୋନା ମୁକାବିଲା ପାଇଁ ଯଥେଷ୍ଟ ନୁହେଁ । ଯଦି ଭାରତରେ ଏହା ତୀବ୍ର ଗତିରେ ବ୍ୟାପେ ତାହା ହେଲେ ଏଥିରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେବାସହିତ ପ୍ରାଣ ହରାଇବେ ।ଯଦିଓ ଭାରତରେ ଏ ପର୍ଯ୍ୟନ୍ତ ମାତ୍ର ୩ଟି କରୋନା ମାମଲା ସାମ୍ନାକୁ ଆସିଛି ।କିନ୍ତୁ ଏବେ ଅନ୍ୟ ଦେଶରେ ଯେଉଁଭଳି କରୋନା ଭାଇରସ୍‌ ବ୍ୟାପିଚାଲିଛି ଆଗାମୀ ଦିନରେ ଭାରତରେ ମଧ୍ୟ ଏହାର ବ୍ୟାପିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ।ଚୀନ୍‌ ଭଳି ଭାରତ ଏକ ବୃହତ ଅର୍ଥନୀତି ହୋଇଥିବାରୁ ସେଠାରେ କରୋନା ବ୍ୟାପିଲେ ବିଶ୍ବ ଅର୍ଥନୀତି ଉପରେ ଏହାର ଖରାପ ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଇଛି ।ଆମେରିକାର ଗୁଇନ୍ଦା ସଂସ୍ଥା ପକ୍ଷରୁ ସେଠାକାର କଂଗ୍ରେସର କିଛି ସଦସ୍ୟଙ୍କୁ ଏ ସଂପର୍କରେ ଜଣାଯାଇଛି ।ଅନେକ ଦେଶ କରୋନାର ପ୍ରକୋପ ବଢ଼ିବା ନେଇ କୌଣସି ସୂଚନା ଦିଆଯାଉନଥିବାରୁ ଆମେରିକୀୟ ଗୁଇନ୍ଦା ସଂସ୍ଥା ଗୁଡ଼ିକ ଏ ସଂପର୍କରେ ଆମେରିକା କଂଗ୍ରେସକୁ ଜଣାଇ ଦିଆଯାଇଛି ।...

ଗୋଟିଏ ପଟେ କରୋନା ନେଇ ସତର୍କ ରହିବାକୁ ଆମେରିକୀୟ ଗୁଇନ୍ଦା ସଂସ୍ଥା ଚେତାଇ ଦେଇଥିବା ବେଳେ ଅନ୍ୟପଟେ ବିଶ୍ବର ଅନ୍ୟ ଦେଶ ଗୁଡ଼ିକରେ ଏହାର ପ୍ରକୋପ ବଢ଼ିବାରେ ଲାଗିଛି ।ଦକ୍ଷିଣ କୋରିଆରେ ଶୁକ୍ରବାର ୫୯୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ଏହାସହିତ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୩୧ରେ ପହଞ୍ଚିଛି ।ପ୍ରଭାବିତ ଅଞ୍ଚଳରେ ସେନା ବାହିନୀକୁ ଭାଇରସ୍‌ ରୋକିବା କାର୍ଯ୍ୟରେ ନିୟୋଜିତ କରାଯାଇଛି ।ଦକ୍ଷିଣ କୋରିଆରେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ଡାଏଗୁ ସହର ।ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ ୫୦ରୁ ଅଧିକ ଦେଶରେ କରୋନା ଭାଇରସ୍ ଚିହ୍ନଟ କରାଗଲାଣି ।ବିଶ୍ବରେ ୮୩ ହଜାର ୬୫୦ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।ଚୀନ୍‌ରେ ୭୮ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨୯୩୧ ଜଣ ପ୍ରାଣ ହରାଇଲେଣି ।ଇରାନରେ ଏପର୍ଯ୍ୟନ୍ତ ୨୧୦ ଜଣ କରୋନା ଭାଇରସ୍‌ରେ ପ୍ରାଣ ହରାଇଲେଣି ।ତେବେ ଇରାନ ସରକାର ୪୩ ଜଣଙ୍କର ଏଥିରେ ମୃତ୍ୟୁ ଘଟିଥିବା କହୁଛନ୍ତି ।ତେବେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଚୀନ୍‌ରେ କରୋନାରେ ସୁସ୍ଥ ହୋଇ ଘରକୁ ଫେରିଥିବା କେତେକ ରୋଗୀଙ୍କ ଠାରେ ପୁଣିଥରେ ଏହି ଭାଇରସ୍ ଚିହ୍ନଟ କରାଯାଇଛି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.