ଭାରତ ସହ ବିଶ୍ବ ଅର୍ଥନୀତି ଉପରେ କରୋନା ପ୍ରଭାବ
20/02/2020 at 7:09 PM

ନୂଆଦିଲ୍ଲୀ ୨୦।୦୨ – ବିଶ୍ବ ଅର୍ଥନୀତି ଉପରେ ପଡିଲାଣି କରୋନା ପ୍ରଭାବ । ଭାରତର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ଔଷଧ ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ଏହାର ପ୍ରଭାବ ଗୁରୁତର ଭାବେ ଅନୁଭୁତ ହେଲାଣି। ଔଷଧ ପ୍ରସ୍ତୁତ ପାଇଁ ଚୀନରୁ ଆସୁଥିୂବା ଆବଶ୍ୟକ କଞ୍ଚାମାଲ ଯୋଗାଣ ବାଧାପ୍ରାପ୍ତ ହେବାରୁ ଓଡ଼ିଶାରେ ବିଭିନ୍ନ ଜୀବନ ରକ୍ଷାକାରୀ ଔଷଧର ଦର ବଢିବାର ଆଶଙ୍କା ସୃଷ୍ଟି ହୋଇଛି।

ଚୀନରେ କରୋନା ଭୂତାଣୁ ଆତଙ୍କର ସିଧା ପ୍ରଭାବ ଭାରତର ଔଷଧ କ୍ଷେତ୍ର ଉପରେ ପଡିଛି। ଏହି କ୍ଷେତ୍ରରେ ଚୀନରୁ ଆସୁଥିବା କଞ୍ଚାମାଲ ଯୋଗାଣରେ ଅଭାବ ଦେଖାଦେଲାଣି। ସପ୍ଲାଇ ଚେନ୍ ବିଗିଡିବାରୁ ଏବେ ରାଜ୍ୟରେ ବିଭିନ୍ନ ଜୀବନ ରକ୍ଷାକାରୀ ଔଷଧଗୁଡିକର ଦର ବଢିବାର ଆଶଙ୍କା ସୃଷ୍ଟି ହୋଇଛି । ପାରାସିଟାମଲ, ଓଆରଏସ, ସାଇପ୍ରୋପ୍ଲୋକ୍ସାସିନ, ଆମୋକ୍ସିସିଲିନ ସହ ବିଭିନ୍ନ ଆଣ୍ଟିବାୟୋଟିକ୍ସ ଭଳି ସାଧାରଣରେ ବ୍ୟବହୃତ ମେଡ଼ିସିନର ଉତ୍ପାଦନ ପ୍ରଭାବିତ ହେଲାଣି । ଔଷଧର ଇନଗ୍ରେଡିଏଣ୍ଟ ପ୍ରସ୍ତୁତ କରୁଥିବା ଚୀନର ବଡ ବଡ କମ୍ପାନୀ ଏବେ ବନ୍ଦ । ଏହି କମ୍ପାନୀଗୁଡିକ ଆବଶ୍ୟକ ମାତ୍ରାର ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ ଇନଗ୍ରେଡିଏଣ୍ଟସ ବା ଏ. ପି. ଆଇଏସ. ଯୋଗାଇ ପାରୁନାହାଁନ୍ତି। ଆବଶ୍ୟକ ମାତ୍ରାରେ ଏ. ପି. ଆଇଏସ ଆସୁ ନଥିବାରୁ ବିଭିନ୍ନ ପ୍ରକାର ଟାବଲେଟ, କ୍ୟାପସୁଲ, ଇଞ୍ଜେକ୍ସନ, ସିରପ୍ , ଓଆରଏସ ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଛି । ଏପରିକି ନିରାମୟ ଯୋଜନାରେ ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଔଷଧ ଯୋଗାଉଥିବା ୬ଟି ଯୋଗାଣକାରୀ କମ୍ପାନୀ ରାଜ୍ୟ ସରକାରଙ୍କୁ ପୂର୍ବ ନିର୍ଦ୍ଧାରିତ ସମୟରେ ଔଷଧ ଯୋଗାଇବାରେ ଅସାମର୍ଥ୍ୟ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଯଦି ସ୍ଥିତିରେ ସୁଧାର ନ ଆସେ ତେବେ ରାଜ୍ୟରେ ହସ୍ପିଟାଲଗୁଡିକରେ ଔଷଧର ଅଭାବ ଦେଖା ଦେଇପାରେ ।

ଚୀନରେ କରୋନା ଭୂତାଣୁ ଯୋଗୁ ଭାରତୀୟ ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହୋଇଛି । ସପ୍ଲାଇ ଚେନ୍ ବିଗିଡିବାରୁ ବିଶେଷଭାବେ ମାନୁଫାକ୍ଚରିଂ, ଔଷଧ ରପ୍ତାନୀ, ଇଲୋକ୍ଟ୍ରୋନିକ୍ସ, ସୋଲାର ଏନର୍ଜୀ ଟେକ୍ସଟାଇଲ,କେମିକାଲ କ୍ଷେତ୍ର ପ୍ରଭାବିତ ହୋଇଛି। ଏହି ସବୁ କ୍ଷେତ୍ରରେ କରୋନା ପରେ ଉପୁଜିଥିବା ପରିସ୍ଥିତିର ମୁକାବିଲା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି ସି.ଆଇ.ଆଇ ପ୍ରତିନିଧି । ଆମଦାନୀ କର ହ୍ରାସ ପାଇଁ ସେମାନେ ଦାବି କରିଛନ୍ତି। ଖୁବଶୀଘ୍ର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହା ଉପରେ ସଠିକ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଫାଭିଓ- ବିଶ୍ବ ଅର୍ଥନୀତିରେ ଚୀନର ଭାଗିଦାରି ବହୁତମାତ୍ରାରେ ବଢିଯାଇଥିବାରୁ ସେଠାରେ ଦେଖାଦେଇଥିବା ସମସ୍ୟାର ପ୍ରଭାବ ପୂରା ବିଶ୍ବରେ ପଡିଛି। ତେଣୁ ପୂରା ବିଶ୍ବ ଚୀନର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।