ଟ୍ରାକ୍‌କୁ ଫେରୁଛି ମୋଟର କାର ମାର୍କେଟ୍; ମେ ମାସରେ ଜବରଦସ୍ତ ବିକ୍ରି, ସବୁଠାରୁ ଆଗରେ ମାରୁତି ସୁଜୁକି, ହ୍ୟୁଣ୍ଡାଇକୁ ପଛରେ ପକାଇଲା ଟାଟା

Published By : Prameya-News7 Bureau | June 01, 2022 IST

ନୂଆଦିଲ୍ଲୀ: ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି ମୋଟର ଗାଡ଼ି ମାର୍କେଟ୍। ଦୁଇବର୍ଷ ଧରି କରୋନା ମାଡ଼ ସହିବା ପରେ ବିଭିନ୍ନ କମ୍ପାନୀରେ କାରଗୁଡ଼ିକର ବିକ୍ରି ବଢ଼ିବାରେ ଲାଗିଛି। ମେ ମାସରେ ମାରୁତି ସୁଜୁକି, ହ୍ୟୁଣ୍ଡାଇ ଓ ଟାଟା ମୋଟର୍ସ ଭଳି ପ୍ରତିଷ୍ଠିତ କମ୍ପାନୀର କାର୍ ବିକ୍ରିରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ବିଶ୍ୱ ବଜାରରେ ସେମିକଣ୍ଡକ୍ଟର ଅଭାବ ସତ୍ତ୍ୱେ ବି କାର ବିକ୍ରିରେ ବୃଦ୍ଧି ଦେଖିବାକୁ ମିଳିଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, କିଆ ଇଣ୍ଡିଆ, ଟୟୋଟା କିର୍ଲୋସ୍କର ମୋଟର, ସ୍କୋଡା ଭଳି କମ୍ପାନୀ ଏପ୍ରିଲ ମାସ ଅପେକ୍ଷା ମେରେ ଭଲ ବ୍ୟବସାୟ କରିଛନ୍ତି।

ସବୁଠାରୁ ଆଗରେ ମାରୁତି-

ସେହିପରି ସବୁଠାରୁ ଆଗରେ ରହିଛି ଦେଶର ସବୁଠାରୁ ବଡ଼ କାର କମ୍ପନୀ ମାରୁତୀ ସୁଜୁକି। କମ୍ପାନୀ ମେ ମାସରେ ୧୩୪୨୨୨ ଗାଡି ବିକ୍ରି ହୋଇଛି। ତେବେ ୨୦୨୧ରେ କରୋନାର ଦ୍ୱତୀୟ ଲହର ଯୋଗୁ କମ୍ପାନୀ ମାତ୍ର ୩୫,୨୯୩ ଗାଡ଼ି ବିକ୍ରି କରିଥିଲା। କମ୍ପାନୀର ସୂଚନା ଅନୁସାରେ ଚଳିତ ବର୍ଷ ସ୍ୱିଫ୍ଟ, ସେଲିରିୟ, ଇଗ୍ନେଶ, ବଲେନୋ ଓ ଡିଜାୟର ଭଳି ମଡେଲ ସମେତ କମ୍ପେକ୍ଟ ଗାଡ଼ିଗୁଡ଼ିକର ବିକ୍ରି ୬୭,୯୪୭ ରହିଛି। କିନ୍ତୁ ଗତବର୍ଷ ଏହି ସଂଖ୍ୟା ୨୦,୩୪୩ ରହିଥିଲା।

ରେକର୍ଡ କଲା ଟାଟା ମୋଟର୍ସ, ପଛରେ ପଡ଼ିଲା ହ୍ୟୁଣ୍ଡାଇ
୨୦୨୨ରେ ହ୍ୟୁଣ୍ଡାଇକୁ ପଛରେ ପକାଇ ଗାଡ଼ି ବିକ୍ରିରେ ଆଗରେ ରହିଛି ଟାଟା ମୋଟର୍ସ। ମାରୁତି ପଛକୁ ଦ୍ୱିତୀୟ ସର୍ବାଧିକ ଗାଡ଼ି ବିକ୍ରି କରିଛି କମ୍ପାନୀ। ମେ ମାସରେ ଟାଟା ମୋଟର୍ସ ୪୩,୩୪୧ ଗାଡ଼ି ବିକ୍ରି କରିଛି। ଗୋଟିଏ ମାସରେ ଏତେ ମାତ୍ରାରେ ଗାଡ଼ି ବିକ୍ରି କରିଥିବା କମ୍ପାନୀ ପାଇଁ ଏହା ପ୍ରଥମ। ମେ ମାସରେ ବିକ୍ରି ହୋଇଥିବା ୪୩,୩୪୧ ୟୁନିଟ୍ କାର ମଧ୍ୟରୁ ୩୯,୮୮୭ଟି ICE PV (internal-combustion engines, photovoltaic)ଗାଡ଼ି(୨୦୨୧ ମେ'ରେ ୧୪,୭୦୫) ଥିବା ବେଳେ ୩,୪୫୪ ୟୁନିଟ୍ ଇଲେକ୍ଟ୍ରିକ୍ ଭେଇକଲ ରହିଛି। ଗତବର୍ଷ ଅପେକ୍ଷା ୧୭୧ ପ୍ରତିଶତ କାର ବିକ୍ରି ବୃଦ୍ଧି ହୋଇଛି।

ସେହିପରି ଇଲେକ୍ଟ୍ରିକ୍ ଭେଇକଲ(ଇଭି)ରେ କମ୍ପାନୀର ବିକ୍ରି ୬୦୦ ପ୍ରତିଶତ ବୃଦ୍ଧି ହୋଇଛି। ମେ ମାସରେ ଟାଟା ୩,୪୫୪ ଇଭି ବିକ୍ରି କରିଥିବା ବେଳେ ଗତବର୍ଷ ମେର ମାତ୍ର ୪୭୬ଟି ଗାଡ଼ି ବିକ୍ରି କରିଥିଲା। ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ କମ୍ପାନୀ ମାସକୁ ମାସ ୪.୨ ଅଭିବୃଦ୍ଧି ହୋଇଛି। 

ସେହିପରି ଭାରତୀୟ ବଜାରରେ ଟାଟା ପଛକୁ ଥିବା ହ୍ୟୁଣ୍ଡାଇ ମେ ମାସରେ ୪୨,୨୯୩ ଗାଡ଼ି ବିକ୍ରି କରିଛି। କମ୍ପାନୀର ଏଭଳି ଖରାପ ପ୍ରଦର୍ଶନ ପାଇଁ ପ୍ଲାଣ୍ଟର ରକ୍ଷଣାବେକ୍ଷଣକୁ ଦାୟୀ କରିଛି କମ୍ପାନୀ। ଚେନ୍ନାଇରେ ଥିବା ଦୁଇଟି ପ୍ଲାଣ୍ଟ ରକ୍ଷଣାବେକ୍ଷଣ କାରଣରୁ ପ୍ରଡକ୍ସନ ପ୍ରଭାବିତ ହୋଇଛି। ଏଥିପାଇଁ ଗତ ଏପ୍ରିଲ୧୬-୨୧ ଯାଏ ୬ ଦିନ ପାଇଁ କୌଣସି ପ୍ରଡକ୍ସନ ହୋଇପାରି ନଥିଲା। ଫଳରେ ମେଁରେ ଗାଡ଼ିଗୁଡ଼ିକର ଅଭାବ ଦେଖାଦେଇଥିଲା। ଫଳରେ ଘରୋଇ ଓ ବିଦେଶରେ ଗାଡ଼ି ବିକ୍ରି କମିଥିଲା।  

ମହିନ୍ଦ୍ରା- ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ମେ ମାସରେ ଭାରତରେ ୨୬,୯୦୪ଟି ଗାଡ଼ି ବିକ୍ରି କରିଛି। ସେଥିମଧ୍ୟରୁ ୨୬,୬୩୨ ଏସ୍‌ୟୁଭି ଓ ଏକ୍ସୟୁଭି ୭୦୦ ଟି ମଡେଲ୍ ବିକ୍ରି ହୋଇଛି। ମେ ମାସରେ ଥର ସମେତ ସମସ୍ତ ବ୍ରାଣ୍ଡର ଭଲ ବିକ୍ରି ହୋଇଛି ବୋଲି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଚେୟାରମ୍ୟାନ ଅଟୋମୋଟିବ୍ ଡିଭିଜନର ବିଜୟ ନକରା କହିଛନ୍ତି।

ସେହିପରି କିଆ ଇଣ୍ଡିଆର ବିକ୍ରି ମେ ମାସରେ ୬୯ ପ୍ରତିଶତ ବୃଦ୍ଧି ହୋଇଛି। ଏହି ମାସରେ କମ୍ପାନୀ ୧୮,୭୧୮ ଗାଡ଼ି ବିକ୍ରି କରିଛି। କୋଭିଡ୍‌ର ଦ୍ୱିତୀୟ ଲହରରେ କମ୍ପାନୀ ୧୧,୦୫୦ କାର ବିକ୍ରି କରିଥିଲା। ଅନ୍ୟପଟେ ଟୟୋଟାର କିର୍ଲୋସ୍କର ମୋଟରର ବିକ୍ରି ବଢ଼ି ୧୦,୨୦୧୬ ହୋଇଛି। ହେଲେ ମେ ମାସରେ ଟୟୋଟା ମାତ୍ର ୭୦୭ ଗାଡ଼ି ବିକ୍ରି କରିଥିଲା।

ବଜାଜ ଅଟୋ, ଟିଏଭିଏସ ମୋଟର

ଟୁ-ହ୍ୱିଲର ସେଗ୍‌ମେଣ୍ଟରେ ବି ଭାରତରେ ବିକ୍ରି ବୃଦ୍ଧି ପାଇଛି। ବଜାଜ କମ୍ପାନୀ ମେ ମାସରେ ୧,୧୨,୩୦୮ ଗାଡ଼ି ବିକ୍ରି କରିଛି। ହେଲେ ଗତବର୍ଷ ମେ ମାସରେ କମ୍ପାନୀ ମାତ୍ର ୬୦,୮୩୦ ଗାଡ଼ି ବିକ୍ରି କରିଥିଲା। କମ୍ପାନୀର ଅଭିବୃଦ୍ଧି ହାର ୫୯ ପ୍ରତିଶତ ରହିଛି। ସେହିପରି ଟିଭିଏସ୍‌ ଟୁ-ହ୍ୱିଲର ବିକ୍ରିରେ ବୃଦ୍ଧି ହୋଇ ମେ ମାସରେ ୧,୯୧,୪୮୨ ହୋଇଛି। ଗତବର୍ଷ ମେ ମାସରେ ଏହି ବିକ୍ରି ହାର ୫୨,୦୮୪ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.