ଝିଅର ବାହାଘର ପାଇଁ କିଣାକିଣି କରିବାକୁ ଯାଉଥିଲା ପରିବାର, ବାଟରେ ଜଗିଥିଲା ଯମ

Published By : Prameya-News7 Bureau | December 04, 2021 IST

ଲକ୍ଷ୍ନୌ ୦୪/୧୨:  ଝିଅ ବାହାଘର ପାଇଁ କିଣାକିଣି କରିବାକୁ ପୂରା ପରିବାର ବାହାରିଥିଲେ । କାରରେ ବସି ବାପା-ମା, ଝିଅ ଏବଂ ଦୁଇ ପୁଅ ଯାଉଥିଲେ। କିନ୍ତୁ ବାଟରେ ଜଗି ବସିଥିଲା ଯମ । ଓଭରଟେକ୍‌ କରି କାର ଆଗେଇ ଚାଲିଥିବା ବେଳେ ହଠାତ ସାମ୍ନାପଟୁ ଆସୁଥିବା ଏକ ବସ୍‌ରେ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ ଘଟଣାସ୍ଥଳରେ ଦମ୍ପତ୍ତିଙ୍କ ସମେତ ଝିଅର ମୃତ୍ୟୁ ହୋଇଥିଲା । ଏହା ସହ ଦୁଇ ପୁଅ ଗୁରୁତର ହୋଇଥିଲେ।

ମିଳିଥିବା ସୂଚନା ଅନୁସାରେ, ବିଜେପି କର୍ମୀ ରାଲିରେ ଯୋଗ ଦେବା ପାଇଁ ଯାଉଥିବା ବସ୍‌ରେ ହିଁ କାରଟି ଧକ୍କା ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଦୁଇ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଶନିବାର ସକାଳେ  ସହାରନ୍‌ପୁରରେ ଡେରାଡୁନ୍‌ ହାଇଓ୍ବେରେ ଘଟିଥିଲା । ଡେରାଡୁନ୍‌ରୁ ସହାରନପୁର ଅଭିମୁଖେ ପରିବାର କାରରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।  

ଏଥିରେ ବାହାଦୂର ଚୌହାନ (୪୮), ତାଙ୍କ ପତ୍ନୀ ମଞ୍ଜୁ ଚୌହାନ (୪୫), ଝିଅ ଶିଳ୍ପୀ (୨୨)ଙ୍କ ମୃତ୍ୟୁ ହୋଇଛି। ଏହା ସହ ବାହାଦୂରଙ୍କ ଦୁଇ ପୁଅ ଦୀକ୍ଷାନ୍ତ ଏବଂ ନିଶାନ୍ତ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଜିଲ୍ଲା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ରେଫର କରିଛନ୍ତି ଡାକ୍ତର। ସେପଟେ ପୋଲିସ କାର୍‌ ଧକ୍କା ଦେଇଥିବା ବସ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ପୋଲିସର କହିବା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ କାରରେ ୩ ଲକ୍ଷ ଟଙ୍କା ଥିଲା। ଏହି ସବୁ ଟଙ୍କା ମୃତକଙ୍କ ପରିବାରକୁ ଫେରାଇ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.