ନବରଙ୍ଗପୁର: କାର୍ ଓ ପିକଅପ୍ ମଧ୍ୟରେ ଧକ୍କାରେ ଜଣକର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଆମ୍ବପାଣି ଘାଟିରେ।
ସୂଚନା ଅନୁଯାୟୀ, ରବିବାର କୋସାଗୁମୁଡ଼ା ବ୍ଲକ ଆଉଁଳି ଗାଁର ଏକ ବ୍ୟାଣ୍ଡ୍ ବାଜା ଦଳ କଳାହାଣ୍ଡିରେ କାର୍ଯ୍ୟକ୍ରମକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ହେଲେ ଘାଟି ଉପରେ କଳାହାଣ୍ଡି ପଟୁ ଆସୁଥିବା ଏକ କାର୍ ସହିତ ଧକ୍କା ପରେ ପିକଅପ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।
ମୃତକ ହେଲେ ପର୍ଶୁ ଭାତରା। ଦଳରେ ୨୦ ଜଣ ରହିଥିବା ସୂଚନା ମିଳିଛି। ତେବେ ଆହତଙ୍କୁ ମୈଦଲପୁର ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ଡାକ୍ତରଖାନାକୁ ପଠାଯାଇଛି। ମୈଦଲପୁର ପୋଲିସ ପହଞ୍ଚି ମୃତ ଦେହକୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି। ଶବ ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।