'ସେମାନଙ୍କୁ ଖୁଆଇବାର କୌଣସି ମତଲବ ନାହିଁ', କ୍ୟାପଟେନ୍ ରୋହିତ ଶର୍ମାଙ୍କ ବୟାନକୁ ନେଇ ବଢିଲା ଆଶଙ୍କା

Published By : Prameya-News7 Bureau | February 27, 2024 IST

ରାଞ୍ଚି ୨୭/୦୨: ଯୁବ ଖେଳାଳିମାନେ ସିରିଜ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସିନିୟର ଖେଳାଳିଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି । ଏଣିକି ଟେଷ୍ଟ କ୍ରିକେଟ୍‌ ଖେଳିବାକୁ ପ୍ରୟାସରତ ଯୁବ ଖେଳାଳିଙ୍କୁ ଟେଷ୍ଟ ଦଳ ଚୟନ ବେଳେ ପ୍ରାଥମିକତା ଦିଆଯିବ ବୋଲି ରୋହିତ ଶର୍ମା ସ୍ପଷ୍ଟ କରିଦେଇଛନ୍ତି ।

ଇଶାନ କିଷନ ଓ ଶ୍ରେୟାସ ଆୟର ଘରୋଇ କ୍ରିକେଟ୍‌କୁ ଅଣଦେଖା କରିବା ନେଇ ଚାଲିଥିବା ବିବାଦକୁ ନେଇ ରୋହିତ ଏଭଳି ବୟନ ଦେଇଥିବା ଆଶଙ୍କା କରାଯାଉଛି । ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବିରାଟ କୋହଲି, କେଏଲ ରାହୁଲ, ମହମ୍ମଦ ସାମିଙ୍କ ଭଳି ଅଭିଜ୍ଞ ଖେଳାଳି ନାହାନ୍ତି । ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରା ମଧ୍ୟ ସାମୟିକ ବିରତି ନେଇଛନ୍ତି ।

wp:html /wp:html

ଏତେ ସଂଖ୍ୟକ ତାରକା ଖେଳାଳିଙ୍କ ଅନୁପସ୍ଥିତି ସତ୍ତେ୍ୱ ଭାରତ ଶକ୍ତିଶାଳୀ ଇଂଲଣ୍ଡକୁ ହରାଇବାରେ ସଫଳ ହୋଇଛି । ଯୁବ ତାରକାମାନେ ସୁଯୋଗର ସଦୁପଯୋଗ କରିବା ଫଳରେ ଭାରତ ଗୋଟିଏ ଟେଷ୍ଟ ବାକି ଥାଇ ୩-୧ରେ ସିରିଜ ଜିତି ସାରିଛି । ଦ୍ୱିତୀୟ ଓ ତୃତୀୟ ଟେଷ୍ଟରେ ଯଶସ୍ୱୀ ଜୈସ୍ୱାଲ, ତୃତୀୟ ଟେଷ୍ଟରେ ସର୍ଫରାଜ ଖାନ ଓ ଚତୁର୍ଥ ଟେଷ୍ଟରେ ଧ୍ରୁବ ଜୁରେଲ ଓ ଶୁଭମନ ଗିଲ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ଅନଭିଜ୍ଞ ଖେଳାଳିଙ୍କ ପ୍ରଦର୍ଶନ ବଳରେ ସିରିଜ ବିଜୟ ବେଶ୍‌ ପ୍ରଶଂସନୀୟ ରହିଛି । ଇଂଲଣ୍ଡ ଖେଳାଳିମାନେ ମଧ୍ୟ ଭାରତୀୟ ଯୁବ ତାରକାଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି । ରୋହିତ କହିଛନ୍ତି, ଯେଉଁ ଖେଳାଳିମାନେ ଟେଷ୍ଟ କ୍ରିକେଟ୍‌ ଖେଳିବାକୁ ସର୍ବଦା ଚେଷ୍ଟିତ ରହିବେ, କିମ୍ବା ଟେଷ୍ଟ କ୍ରିକେଟ୍‌ରେ ସଫଳ ହେବା ପାଇଁ ସ୍ୱପ୍ନ ଦେଖୁଥିବେ ସେମାନଙ୍କୁ ଟେଷ୍ଟ ଦଳ ଚୟନ ବେଳେ ପ୍ରାଥମିକତା ମିଳିବ ।

ଟେଷ୍ଟ କ୍ରିକେଟ୍‌ ସବୁଠୁ କଷ୍ଟକର ଫର୍ମାଟ୍‌ । ଏହି ଫର୍ମାଟ୍‌ ଖେଳାଳିଙ୍କ ଦକ୍ଷତାକୁ ଶାଣିତ କରିଥାଏ । ଟେଷ୍ଟ କ୍ରିକେଟ୍‌ ଖେଳିବା ପାଇଁ ଭୋକିଲା ଥିବା ଖେଳାଳି ସର୍ବଦା ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥାଏ । ତେଣୁ ଏଭଳି ଖେଳାଳିଙ୍କୁ ପ୍ରଥମେ ସୁଯୋଗ ମିଳିବା ଆବଶ୍ୟକ । ଟେଷ୍ଟ କ୍ରିକେଟ ଖେଳିବା ପାଇଁ ଆଗ୍ରହୀ ନଥିବା ଖେଳାଳିମାନଙ୍କୁ ଟେଷ୍ଟ ଖେଳିବାକୁ ବାଧ୍ୟ କରିବାର ଯଥାର୍ଥତା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.