ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଏବେ ନୂଆ ମୋଡ଼ ନେଇଛି । ରାଷ୍ଟ୍ରପତି ଜେଲେନସ୍କି ସୋସିଆଲ୍ ମିଡିଆରେ ସୋମବାର ଏକ ଭିଡିଓ ସେୟାର କରି ରୁଷର ୧୦୦୦ ବର୍ଗ କିଲୋମିଟର କ୍ଷେତ୍ର ଉପରେ କବଜା କରିଥିବା ଦାବି କରିଛନ୍ତି । ଜେଲେନସ୍କି ସେୟାର କରିଥିବା ଏକ ପୋଷ୍ଟରେ ୟୁକ୍ରେନ ସେନା ମୁଖ୍ୟ କହିଛନ୍ତି ଯେ ଆମ ସୈନିକ ରୁଷର ଏକ ବୃହତ କ୍ଷେତ୍ରକୁ ନିଜ କବଜାକୁ ନେଇଛନ୍ତି । ଆମର ଆକ୍ରାମକ ଅଭିଯାନ ଜାରି ରହିଛି । ସେନା ମୁଖ୍ୟ କହିଛନ୍ତି ଯେ ଆମ କୁର୍ସ୍କ କ୍ଷେତ୍ରରେ ନିଜ ଅଭିଯାନକୁ ଅଧିକ ତୀବ୍ର କରିବୁ ।
ଉଲ୍ଲେଖଯୋଗ୍ୟ ଯେ ରୁଷ ଆକ୍ରମଣରୁ ପ୍ରଥମେ ନିଜକୁ ରକ୍ଷା କରୁଥିବା ୟୁକ୍ରେନ ଏବେ ଆଶ୍ଚର୍ଯ୍ୟଜନକ ଭାବେ ଆକ୍ରମଣ ଆରମ୍ଭ କରିଛି । ଏହି ଯୁଦ୍ଧରେ ପ୍ରଥମ ଥର ପଇଁ ୟୁକ୍ରେନ ସେନା ରୁଷ ସୀମା ଭିତରେ ପଶି ତାର ଅଞ୍ଚଳକୁ କବଜା କରିଛି । ୟୁକ୍ରେନ ଲଗାତାର ଆକ୍ରମଣ ଯୋଗୁଁ ରୁଷ ନିଜ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବା ଆରମ୍ଭ କରିଛି । ରୁଷର ସରକାରୀ ମିଡିଆ ଅନୁସାରେ ସରକାର କୁର୍ସ୍କ ନିକଟସ୍ଥ ବେଲଗୋରୋଦରୁ ପ୍ରାୟ ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରିସାରିଛନ୍ତି । ଏହା ପୂର୍ବରୁ ରୁଷ କୁର୍ସ୍କ କ୍ଷେତ୍ରରୁ ପ୍ରାୟ ୭୬ ହଜାର ଲୋକଙ୍କୁ ସୁରିକ୍ଷତ ସ୍ଥାନକୁ ସ୍ଥାନାନ୍ତର କରିଛି ।
ୟୁକ୍ରେନର ଏହି ଆକ୍ରମଣରେ ନିଆଁବାଣ ହୋଇ ପୁଟିନ କହିଛନ୍ତି ଯେ ଏହା ସତ ଯେ ଶତ୍ରୁ କିଛି ଅଞ୍ଚଳ ଯାଏ ଭିତରକୁ ଆସିଛନ୍ତି । ଏବେ ଆମର ପ୍ରଥମ କାମ ନିଜ ଅଞ୍ଚଳରୁ ଶତ୍ରୁକୁ ବିଦା କରିବା ଏବଂ ଆମ ଶୀଘ୍ର ନିଜ କ୍ଷେତ୍ରରୁ ବାହାର କରିବୁ । ପୁଟିନ କହିଛନ୍ତି, 'ୟୁକ୍ରେନକୁ ଆଗରେ ରଖି ପାଶ୍ଚ୍ୟାତ ରାଷ୍ଟ୍ର ଏହି ଲଢେଇ ଲଢୁଛନ୍ତି । ମୁଁ ଦେଶବାସୀଙ୍କୁ ଭରସା ଦେଉଛି ଯେ ଏବେ କୌଣସି ଶାନ୍ତି ଆଲୋଚନା ହେବ ନାହିଁ ଏବଂ ୟୁକ୍ରେନକୁ ଏହି ଆକ୍ରମଣର ମୋହତୋଡ ଜବାବ ଦିଆଯିବ ।'