ବିଶ୍ଵକପ୍ ୨୦୨୩ ମହାମୁକାବିଲା ପୂର୍ବରୁ ଏକାଠି ହେଲେ ୧୦ଟି ଟିମ୍ର ଅଧିନାୟକ
4/10/2023 at 10:14 PM

ନୂଆଦିଲ୍ଲୀ: ବିଶ୍ଵକପ୍ ୨୦୨୩ର ଶଙ୍ଖନାଦ ଗୁରୁବାର ବାଜିବାକୁ ଯାଉଛି। ବିଶ୍ଵକପ୍ରେ ୧୦ଟି ଦଳ ଟାଇଟଲ୍ ପାଇଁ ମୁକାବିଲା କରିବେ। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ବିଶ୍ଵକପ୍ ଆରମ୍ଭ ହେବା ପୂର୍ବରୁ ୧୦ଟି ଦଳର ଅଧିନାୟକ ଏକ ସଙ୍ଗେ ନଜର ଆସିଥିଲେ। ସମସ୍ତ ଅଧିନାୟକ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ଵକପ୍ ଟ୍ରଫି ସହ ଫଟୋସୁଟ୍ କରାଇଛନ୍ତି। ବିସିସିଆଇ ଅଧିନାୟକଙ୍କ ଏହି ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ବୋର୍ଡ ଲେଖିଛି, ୧୦ ଅଧିନାୟକ ଓ ଗୋଟିଏ ଉଦ୍ଦେଶ୍ୟ।
ବିସିସିଆଇ ଦ୍ଵାରା ସେୟାର କରାଯାଇଥିବା ଫଟୋରେ କ୍ରିକେଟ୍ ପ୍ରଶଂସକ ନିଜ ଶୈଳୀରେ ପ୍ରତିକ୍ରିୟା ରଖିଛନ୍ତି। କ୍ରିକେଟ୍ ପ୍ରେମୀ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନଙ୍କ ଭାରତୀୟ ଅଧିନାୟକଙ୍କ ସହ ସଂଯୋଗ ଖୋଜିଛନ୍ତି। ଜଣେ ଲେଖିଛନ୍ତି, ଓ୍ଵିଲିୟମସନ ବିଶ୍ଵକପ୍ ୨୦୧୯ର ଫଟୋସୁଟ୍ରେ ବିରାଟ କୋହଲିଙ୍କ ନିକଟରେ ଛିଡ଼ା ହୋଇଥିଲେ। ଆଉ ଏବେ ଓ୍ଵିଲିୟମସନ ରୋହିତ ଶର୍ମାଙ୍କ ନିକଟରେ ମଧ୍ୟ ଛିଡ଼ା ହୋଇଛନ୍ତି। ଅନ୍ୟ ୟୁଜର ଲେଖିଛନ୍ତି ପାକିସ୍ତାନୀ ଅଧିନାୟକ ବାବର ଆଜମଙ୍କୁ ବିଚାର ପଛକୁ ପଠାଇ ଦେଇଛନ୍ତି।
ସମସ୍ତ ୧୦ ଦଳର ଅଧିନାୟକ
ଭାରତ- ରୋହିତ ଶର୍ମା
ଅଷ୍ଟ୍ରେଲିଆ- ପାଟ୍ କମିନ୍ସ
ପାକିସ୍ତାନ- ବାବର ଆଜମ
ଇଂଲଣ୍ଡ- ଜୋସ ବଟଲର
ନ୍ୟୁଜିଲାଣ୍ଡ- କେନ ଓ୍ଵିଲିୟମସନ
ଦକ୍ଷିଣ ଆଫ୍ରିକା- ତେମ୍ବା ବାଭୁମା
ଶ୍ରୀଲଙ୍କା- ଦାସୁନ ଶନାକା
ବାଂଲାଦେଶ- ଶାକିବ ଅଲ ହସନ
ଆଫଗାନିସ୍ତାନ- ହସମତୁଲ୍ଲା ଶାହିଦି
ନେଦରଲାଣ୍ଡ- ସ୍କଟ ଏଡଓ୍ଵାର୍ଡ୍ସ
ସୂଚନାଯୋଗ୍ୟ, ଏଥର ବିଶ୍ଵକପ୍ର ଉଦଘାଟନୀ ସମାରୋହ ଆୟୋଜନ କରାଯାଇ ନାହିଁ। ବିଶ୍ଵକପ୍ର ଉଦଘାଟନୀ ମ୍ୟାଚ୍ ପୂର୍ବରୁ ଆଜି ଅହମ୍ମଦାବାଦରେ କ୍ୟାପଟେନ୍ସି ଡେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଧିନାୟକମାନେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଅଧିନାୟକଙ୍କୁ ପ୍ରଶ୍ନ ପଚାରିବାର ଦାୟିତ୍ଵ ଭାରତୀୟ ଦଳର ପୂର୍ବତନ ଅଧିନାୟକ ରବି ଶାସ୍ତ୍ରୀ ଓ ଇଂଲଣ୍ଡର ପୂର୍ବତନ ଅଧିନାୟକ ଇଅନ ମୋର୍ଗାନଙ୍କୁ ମିଳିଥିଲା।