ନୂଆଦିଲ୍ଲୀ ୨୯।୧୧: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଏହା ସ୍ଵୀକାର କରିବାରେ କୌଣସି ସମସ୍ୟା ନାହିଁ ଯେ, ଦ୍ଵିତୀୟ ଏକଦିବସୀୟ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ମ୍ୟାଚ୍ରେ ଆତ୍ମ ବିଶ୍ଵାସରେ ଭରା ଅଷ୍ଟ୍ରେଲିଆ ତାଙ୍କ ଦଳକୁ ସଂପୂର୍ଣ୍ଣ ପଛରେ ପକାଇ ଦେଇଛି। ଏଥିପାଇଁ ସେ ନିଜ ଦଳର ପ୍ରଭାବହୀନ ବୋଲିଂକୁ ଦାୟୀ କରିଛନ୍ତି। ଭାରତ ରବିବାର ଦ୍ଵିତୀୟ ଦିନିକିଆରେ ୫୧ ରନରେ ଅଷ୍ଟ୍ରେଲିଆ ହାତରୁ ପରାଜିତ ହୋଇଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ମ୍ୟାଚ୍ରେ ଭାରତ ୬୬ ରନରେ ପରାସ୍ତ ହୋଇଥିଲା।
କୋହଲି ମ୍ୟାଚ୍ ପରେ ପୁରସ୍କାର ବିତରଣ ସମାରୋହରେ କହିଛନ୍ତି, ଘରୋଇ ଦଳ ସଂପୂର୍ଣ୍ଣ ଭାବେ ଆମକୁ ପଛରେ ପକାଇ ଦେଲେ। ମୋତେ ଲାଗୁଛି ଆମେ ବୋଲିଂରେ ସେତେଟା ପ୍ରଭାବଶାଳୀ ନଥିଲୁ। ଆମେ କ୍ରମାଗତ ସଠିକ୍ ମାପଚୁପ୍ରେ ବୋଲିଂ କରି ପାରିନାହୁଁ। ଯାହାର ଫାଇଦା ଅଷ୍ଟ୍ରେଲିଆର ମଜବୁତ ବ୍ୟାଟିଂ ଲାଇନ୍ ଅପ୍ ଉଠାଇଥିଲେ। ସେମାନେ ପରିସ୍ଥିତି ଓ ପଡିଆର କୋଣକୁ ବେଶ୍ ଭଲ ଭାବେ ବୁଝିଛନ୍ତି।
ଅଷ୍ଟ୍ରେଲିଆ ଦ୍ଵାରା ଧାର୍ଯ୍ୟ ୩୯୦ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରି ଭାରତୀୟ ଦଳ ବିରାଟ କୋହଲି(୮୯ ରନ) ଓ ଲୋକେଶ ରାହୁଲ(୭୬ ରନ) ସତ୍ଵେ ୯ ଓ୍ଵିକେଟ୍ ହରାଇ ୩୩୮ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତୀୟ ଅଧିନାୟକ କହିଛନ୍ତି, ଆମେ ୩୪୦ ରନ କଲୁ ଏବଂ ପାଖାପାଖି ୫୦ ରନରେ ପରାଜିତ ହେଲୁ। ଆମକୁ ଜଣା ଥିଲା ଯେ, ଲକ୍ଷ୍ୟ ପିଛା କରିବା ସହଜ ନୁହେଁ। ଗୋଟିଏ କି ଦୁଇଟି ଓ୍ଵିକେଟ୍ ଖସିଲେ ଓଭର ପିଛା ଆମକୁ ୧୩, ୧୬ ରନ କରିବାକୁ ପଡିପାରେ। ଏଥିପାଇଁ ଆମେ ଲଗାତାର ସଟ୍ ଖେଳୁଥିଲୁ।
କୋହଲି କହିଛନ୍ତି, ଅଷ୍ଟ୍ରେଲିଆ ଫିଲ୍ଡର ତାଙ୍କ ଏବଂ ଶ୍ରେୟସ ଆୟର(୩୮ ରନ)ଙ୍କ ଯେଉଁ କ୍ୟାଚ୍ ଧରିଲେ ତାହା ମ୍ୟାଚ୍ର ଟର୍ଣ୍ଣିଂ ପଏଣ୍ଟ ଥିଲା। ସେ କହିଛନ୍ତି, ମୁଁ ଓ ରାହୁଲ କଥା ହୋଇଥିଲୁ ଯେ, ଯଦି ଆମେ ୪୦-୪୧ ଓଭର ପର୍ଯ୍ୟନ୍ତ ରହିବା ତେବେ ଅନ୍ତିମ ୧୦ ଓଭରରେ ୧୦୦ ରନ ଦରକାର ଥିଲେ ବି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ଵାରା ଏହା ସମ୍ଭବ ହୋଇଥାନ୍ତା। ଏହା ହିଁ ଆମର ରଣନୀତି ଥିଲା, ହେଲେ ଅଷ୍ଟ୍ରେଲିଆ ଖେଳାଳି ଯେଉଁ ୨ କ୍ୟାଚ୍ ଧରିଲେ ତାହା ମ୍ୟାଚ୍ର ଗତିପଥ ବଦଳାଇ ଦେଇଥିଲା।