ନୂଆଦିଲ୍ଲୀ: ଗୁଜରାଟର ମୋରବିରେ ଝୁଲା ପୋଲ ଛିଣ୍ଡିବା ପରେ ଘଟିଥିବା ଦୁର୍ଘଟଣା ପରେ ଆଲର୍ଟରେ ପ୍ରଶାସନ। ଏଥିରୁ ଶିକ୍ଷା ନେଇ ଏବେ ଅହମଦାବାଦର ଅଟଳ ବ୍ରିଜ ଦେଇ ଯାତ୍ରା କରିବାକୁ ଥିବା ଲୋକଙ୍କ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି। ଗୋଟିଏ ସମୟରେ ୩ ହଜାର ଲୋକଙ୍କୁ ଯିବାକୁ ଅନୁମତି ଦିଆଯିବ। ଅହମଦାବାଦ ନଗର ନିଗମ ପକ୍ଷରୁ ଜାରି କରାଯାଇଛି।
ଅଟଳ ବ୍ରିଜକୁ ସାବରମତୀ ନଦୀ ଉପରେ ଏଲିସ ବ୍ରିଜ ଏବଂ ସରଦାର ବ୍ରିଜ ମଧ୍ୟରେ ନିର୍ମାଣ କରାଯାଇଛି। ଏହା ଏକ ପାଦ ଚଲା ଓଭର ବ୍ରିଜ। ଅହମଦାବାଦ ନଗର ନିଗମ ଦ୍ୱାରା ଏହି ବ୍ରିଜର ନିର୍ମାଣ କରାଯାଇଛି । ୩୦୦ ମିଟର ବ୍ରିଜ ନିର୍ମାଣକୁ ୭୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ବ୍ରିଜ ନିକଟରେ କ୍ୟାଫେଟେରିଆ ଏବଂ ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଲଇଡି ଯୋଗୁଁ ରାତିରେ ଏହି ଫୁଟ ବ୍ରିଜ୍ ବେଶ ସୁନ୍ଦର ଦେଖାଯାଏ। ଏହି ବ୍ରିଜକୁ ଏପରି ଡିଜାଇନ କରାଯାଇଛି ଯେ, ଏହା ଦେଖିବାକୁ ଗୁଡି ସଦୃଶ୍ୟ। ଏଥିରେ ବ୍ୟବହୃତ ପାଇପ ଗୁଡିକୁ ଏପରି ଯୋଡା ଯାଇଛି ଯେ ଭିତରରୁ ଏହା ଗୁଡି ପରି ଦେଖାଯାଏ ।
ଆକର୍ଷଣୀୟ ଡିଜାଇନ ଏବଂ ଏଲଇଡି ଆଲୋକସଜ୍ଜାରେ ସୁସଜ୍ଜିତ ଏହି ବ୍ରିଜର ଲମ୍ୱା ପ୍ରାୟ ୩୦୦ ମିଟର ଏବଂ ୧୪ ମିଟର ଓସାରିଆ । ପାଦ ଚଲା ଯାତ୍ରୀଙ୍କ ସହ ସାଇକେଲ ଚାଳକ ମଧ୍ୟ ଏହାକୁ ବ୍ୟବହାର କରି ନଦୀ ପାର କରିପାରିବେ ।